ଅକ୍ଷର ବ୍ୟୁରୋ: ଭୀଷଣ ଗରମ ଓ ପ୍ରବଳ ଗୁଳୁଗୁଳିରେ ଦୁଇ ସପ୍ତାହ ଧରି ଘାଣ୍ଟି ଚକଟି ହେବା ପରେ ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତି ମିଳିଛି । ବୁଧବାର ଦିନର ପ୍ରବଳ ଗ୍ରୀଷ୍ମପ୍ରବାହରେ ଛଟପଟ ହେଲା ପରେ ସନ୍ଧ୍ୟାରେ ବଳ ଦେଖାଇଲା କାଳବୈଶାଖୀ । ପବନ ସାଙ୍ଗକୁ ବର୍ଷା ଘଣ୍ଟାଏରେ ଖସାଇ ଦେଲା ତାତି । ୮ରୁ ୧୦ ଡିଗ୍ରୀ ସେଲସିୟସ୍ କମିଗଲା ପାରଦ । ଭୁବନେଶ୍ୱରରେ ସନ୍ଧ୍ୟା ସାଢ଼େ ୬ଟାରେ ତାପମାତ୍ରା ୩୧ ଡିଗ୍ରୀ ଥିବାବେଳେ ଅଧ ଘଣ୍ଟାଏ ବର୍ଷା, ପବନରେ ତାପମାତ୍ରା ୨୭ ଡିଗ୍ରୀକୁ ଖସି ଆସିଥିଲା । ବର୍ଷା ସାଙ୍ଗକୁ ସହରରେ ୬୫ କିମି ବେଗରେ ପବନ ବହିଥିଲା । ରବୀନ୍ଦ୍ର ମଣ୍ଡପ ସାମ୍ନା, ବଡ଼ଗଡ଼, ମଞ୍ଚେଶ୍ୱର, ସତ୍ୟବିହାର, ପୋଖରୀପୁଟ, ତମାଣ୍ଡୋ, ପଟିଆ ସମେତ କେତେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିଲା । କିଛି ସ୍ଥାନରେ ଦୋକାନ ସାଇନବୋର୍ଡ ଉଡ଼ି ପଡ଼ିଥିବାବେଳେ ଉଠାଦୋକାନୀଙ୍କ ଜରି ପାଲ ଉଡ଼ି ତଳେ ପଡ଼ିଥିଲା । ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ମଧ୍ୟ ଉପୁଜିଥିଲା ।
ଭୁବନେଶ୍ୱର ସମେତ ରାଉରକେଲା, ବ୍ରହ୍ମପୁର, କଟକ, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, ମୟୂରଭଞ୍ଜ, ନୂଆପଡ଼ା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ ବର୍ଷା, ପବନ ହୋଇଛି । ତାତିରୁ ଆଶ୍ୱସ୍ତି ମିଳିଥିଲେ ବି ବହୁ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ବି ହୋଇଛି । ବିଦ୍ୟୁତ ବିଭ୍ରାଟ ହୋଇଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଘର ଉପରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।














Leave a Reply