ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ; ପ୍ରଥମଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ ରାଷ୍ଟ୍ରପତି ।

ଅକ୍ଷର ବ୍ୟୁରୋ: ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ପାଲଟିଲା ବିଧାନସୌଧ। ପ୍ରଥମଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ, ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଆନନ୍ଦିତ। ମୋତେ ହୋମ୍ କମିଂ ଭଳି ଲାଗୁଛି। ମା’ଟି ମୋର କେଡେ ନିଜର ତା ସରି କେହି ନାହିଁ, ତା ପାଦ ଧୂଳି ଚନ୍ଦନ ଭଳି ମଥାରେ ଦିଏ ମୁଁ ବୋଳି। ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧନ କରିଛି। ଆଜି ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ଖୁସିର ବିଷୟ। ମୁଁ ଗାଁରୁ ଏକ ସାଧାରଣ ଝିଅ ହୋଇ ଆସିଥିଲି। ଏ ଗୃହ ମୋତେ କଥା କହିବା ଶିଖାଇଛି। ଆଜି ମୁଁ ଯେଉଁଠି ପହଞ୍ଚି ସେଥିପାଇଁ ସବୁ ଶ୍ରେୟ ଏହି ଗୃହର। ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶିର୍ବାଦ ନଥିଲେ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରି ନଥାନ୍ତି।

ଏ ଗୃହରେ ମୁଁ ବିଧାୟକ ଭାବେ ପ୍ରଶ୍ନ କରିଛି। ମନ୍ତ୍ରୀ ଭାବରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେଇଛି। ବିଭିନ୍ନ ସ୍ଥାୟୀ କମିଟିର ସଦସ୍ୟ ଓ ଅଧ୍ୟକ୍ଷ ଭାବରେ ମୁଁ ମୋର ଚିନ୍ତାବ୍ୟକ୍ତ କରିଛି। ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ ମିଶି କାମ କରିଛି। ଏହି କଳିଙ୍ଗ ଚଣ୍ଡାଶୋକ ଅଶୋକଙ୍କୁ ଧର୍ମାଶୋକ କରିଛି। ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢେଇରୁ ଶିକ୍ଷା ମିଳିଛି। ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ଵ ବଢିଛି। ଆଜି ବିଧାନସଭାକୁ ଜଣେ ମହିଳା ବାଚସ୍ପତି ଚଳାଉଛନ୍ତି ବୋଲି କହିଛନ୍ତି। 

ତେବେ ବିଧାନସଭାରେ ସର୍ବପ୍ରଥମେ ଅଭିଭାଷଣ ରଖିଥିଲେ ବାଚସ୍ପତି । ତା’ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି କହିଲେ, ଆଜି ଗୌରବର ଦିନ । ଆମ ଗହଣରେ ଉପସ୍ଥିତ ଅଛନ୍ତି ରାଷ୍ଟ୍ରପତି । ଆମେ ସମସ୍ତେ ଗର୍ବିତ ଏ ମାଟିର ଝିଅ ଆଜି ଦେଶର ରାଷ୍ଟ୍ରପତି । ସବୁଠୁ ବଡ଼ କଥା ହେଲା, ରାଷ୍ଟ୍ରପତି ନିଜ ପଲିଟିକାଲ୍‌ କ୍ୟାରିୟର ଓଡ଼ିଶା ବିଧାନସଭାରୁ ଆରମ୍ଭ କରିଥିଲେ, ଆଜି ସେ ଦେଶର ରାଷ୍ଟ୍ରପତି । ତା’ପରେ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟପାଳ ହରିବାବୁ କମ୍ଭମପତି ।

ବିଧାନସଭାରେ ରାଷ୍ଟ୍ରପତିଙ୍କୁ ଗୃହରେ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସର୍ବୋଚ୍ଚ ଆସନରେ ବସି ମଧ୍ୟ ଆପଣ ନିଜ ଜନ୍ମଭୂମି ଓ କର୍ମଭୂମିକୁ ଭୁଲି ନାହାନ୍ତି।” ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟଧାରାକୁ ‘ଅନନ୍ୟ’ ବୋଲି ବର୍ଣ୍ଣନା କରି କହିଥିଲେ ଯେ ତାଙ୍କର ବିଧାୟିକା, ମନ୍ତ୍ରୀ, ରାଜ୍ୟପାଳ, ଏବଂ ରାଷ୍ଟ୍ରପତି ଭାବେ କାର୍ଯ୍ୟ ଅତୁଳନୀୟ । ମୁଖ୍ୟମନ୍ତ୍ରୀ ନିଜ ସରକାରଙ୍କ କାର୍ଯ୍ୟଧାରା ବିଷୟରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ, “ଆପଣଙ୍କ ପରାମର୍ଶ ୨୦୩୬ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ।” ବାଚସ୍ପତି ଏହି ମୁହୂର୍ତ୍ତକୁ ବିଧାନସଭା ପାଇଁ ‘ଐତିହାସିକ’ ବୋଲି ବର୍ଣ୍ଣନା କରିବା ସହ ରାଷ୍ଟ୍ରପତିଙ୍କ ପୂର୍ବ ରାଜନୈତିକ କ୍ୟାରିୟର, ଯେଉଁଥିରେ ସେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ, ତାହାକୁ ସ୍ମରଣ କରିଥିଲେ। ସେହିପରି ବିରୋଧୀଦଳ ନେତା କହିଥିଲେ, “ଓଡ଼ିଆ ଝିଅ ଭାବେ ସର୍ବୋଚ୍ଚ ଆସନରେ ବସିଥିବାରୁ ଆମ ପାଇଁ ଆଜି ଗର୍ବର ବିଷୟ।”

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)