ଅକ୍ଷର ବ୍ୟୁରୋ: ଭୀଷଣ ବାତ୍ୟାର ରୂପନେଲା ବାତ୍ୟା ମୋନ୍ଥା । ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଆଗକୁ ମାଡି ଆସୁଛି ଭୀଷଣ ବାତ୍ୟା ମୋନ୍ଥା । ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’ । ମଚ୍ଛଲିପଟ୍ଟନମରୁ ୧୯୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାରୁ ୨୭୦ କିମି ଦୂରରେ ରହିଛି ବାତ୍ୟା ମୋନ୍ଥା । ସେହିପରି ବିଶାଖାପଟ୍ଟନମରୁ ୩୪୦ କିମି ଦୂରରେ ରହିଥିବା ବେଳେ ଗୋପାଳପୁରରୁ ୫୫୦ କିମି ଦୂରରେ ରହିଛି ବାତ୍ୟା ମୋନ୍ଥା । ସନ୍ଧ୍ୟାରୁ ରାତି ସୁଦ୍ଧା କାକିନାଡ଼ା ଅତିକ୍ରମ କରିବା ସମ୍ଭାବନା ରହିଛି । ଆନ୍ଧ୍ର କାକିନାଡ଼ାର କୋନାସୀମାରେ ସ୍ଥଳଭାଗ ଅତିକ୍ରମ କରିବ । ଯାହା ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ସନ୍ଧ୍ୟା ୫ଟାରୁ ରାତି ୮ଟା ଭିତରେ କୋନାସୀମାରେ ଲ୍ୟାଣ୍ଡଫଲ୍ କରିପାରେ ଭୀଷଣ ବାତ୍ୟା ମୋନ୍ଥା । ଅପରାହ୍ଣ ୩ଟା ପରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଭୀଷଣ ବାତ୍ୟାକୁ ନେଇ ସଚେତନ କରାଇଛି ପାଣିପାଗ ବିଭାଗ ।
ମୋନ୍ଥା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯାଇଛି ବର୍ଷା । ଗୋପାଳପୁରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ଲାଗି ରହିଛି । ପ୍ରଶାସନ ପକ୍ଷରୁ ସଭିଁଙ୍କୁ ସତର୍କ କରାଯାଇଛି । ବେଳାଭୂମିକୁ ସାଧାରଣ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ତେବେ ୫ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଜିଲ୍ଲାକୁ ଅତି ଭୀଷଣ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗୁପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Leave a Reply