ଅକ୍ଷର ବ୍ୟୁରୋ: ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରୂପ ଦେଖାଇଛି । କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀର ଭୟଙ୍କର ତାଣ୍ଡବରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୂର ଅଞ୍ଚଳରେ ପ୍ରଳୟଙ୍କରୀ ବର୍ଷା ଓ ପବନ ଯୋଗୁଁ ଏକ ଟେଣ୍ଟ ଭାଙ୍ଗି ପଡ଼ିବାରୁ ସେହି ଟେଣ୍ଟ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ଥିତି ଚିନ୍ତାଜନକ ଥିବା ଜଣାପଡ଼ିଛି ଏବଂ ଡାକ୍ତରୀ ଦଳ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ନରଣପୂର ଅଞ୍ଚଳରେ ଏକ କାର୍ଯ୍ୟକ୍ରମ ପାଇଁ ଟେଣ୍ଟ ବନ୍ଧାଯାଇଥିଲା । ସେହି ସମୟରେ ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ଆକାଶ ମେଘାଚ୍ଛନ୍ନ ହୋଇଯାଇଥିଲା । ଦେଖୁ ଦେଖୁ ପ୍ରବଳ ବେଗରେ ଝଡ଼ପବନ ସହ ମେଘ ଗର୍ଜନ କରି ବର୍ଷା ଆରମ୍ଭ ହୋଇଥିଲା । ପବନର ବେଗ ଏତେ ଅଧିକ ଥିଲା ଯେ ସେଠାରେ ଠିଆ କରାଯାଇଥିବା ବିରାଟ ଟେଣ୍ଟର ଲୁହା ପାଇପ୍ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିଲା । ଝଡ଼ବର୍ଷାରୁ ବଞ୍ଚିବା ପାଇଁ କିଛି ଲୋକ ସେହି ଟେଣ୍ଟ ତଳେ ଆଶ୍ରୟ ନେଇଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏଭଳି ଥିଲା ଯେ, ସେହି ଟେଣ୍ଟଟି ହିଁ ସେମାନଙ୍କ ପାଇଁ କାଳ ସାଜିଥିଲା । ପ୍ରବଳ ଝଡ଼ରେ ଟେଣ୍ଟଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା । ଭାରୀ ଲୁହା ଫ୍ରେମ୍ ଏବଂ କପଡ଼ା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ୩ ଜଣ ପ୍ରାଣ ହରାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ଟେଣ୍ଟ ତଳୁ ବାହାର କରାଯାଇଥିଲେ ମଧ୍ୟ ସେତେବେଳକୁ ସେମାନଙ୍କର ଜୀବନ ଚାଲିଯାଇଥିଲା । ଘଟଣାସ୍ଥଳରେ କେନ୍ଦୁଝର ଟାଉନ୍ ଥାନା ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।













Leave a Reply