ଅକ୍ଷର ବ୍ୟୁରୋ: ଆଜି ବି ଗରମ ଗୁଳୁଗୁଳିରେ କଲବଲ ହେବ ଓଡ଼ିଶା । ପଶ୍ଚିମ ଓଡିଶାରେ ତାତି, ଉପକୂଳରେ ଗୁଳୁଗୁଳିରୁ ନାହିଁ ନିସ୍ତାର । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆହୁରି ୪ ଦିନ ସନ୍ତୁଳି ହେବେ ଲୋକେ । ୨୭ ତାରିଖ ଯାଏ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରୁଛି ।
ଅପରାହ୍ନରେ କାଳବୈଶାଖୀ ଝଡ଼ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଗତକାଲି ପଶ୍ଚିମ ଓଡ଼ିଶାର ୫ ସହରର ପାରଦ ୪୫ ଡିଗ୍ରୀ ଛୁଇଁଥିଲା । ୪୫.୨ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ତେବେ ଖାଲି ଦିନ ନୁହେଁ, ରାତିରେ ବି ଛଟପଟ କରୁଛି ଗରମ ଗୁଳୁଗୁଳି । ସେପଟେ ଆଗକୁ ବଢୁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଏବଂ ପୂର୍ବ-ମଧ୍ୟ ବଙ୍ଗୋପସାଗରକୁ ବି ଅଗ୍ରସର ହେଉଛି । ଅନ୍ୟପଟେ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଆହୁରି ଅଗ୍ରସର ହୋଇଛି ମୌସୁମୀ ବାୟୁ । ଆଜି ପାଇଁ କାଳବୈଶାଖୀର ଚେତାବନୀ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।















Leave a Reply