ଅକ୍ଷର ବ୍ୟୁରୋ: ରାଜ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତ । ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ଖସୁଛି ପାରଦ । ଏପରି କି ଶୀତ ଲହରୀକୁ ନେଇ ଆସନ୍ତା ୨ ଦିନ ଯାଏଁ ୩ ଜିଲ୍ଲାକୁ ଜାରି ହୋଇଛି ୱାର୍ଣ୍ଣିଂ । ସେପଟେ ଆଗାମୀ 7 ଦିନ ଯାଏଁ ରାଜ୍ୟରେ ବର୍ଷାର କୌଣସି ସମ୍ଭାବନା ନଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଘନ କୁହୁଡ଼ିକୁ ନେଇ 7 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଥିବା ବେଳେ 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡା ଓ ଅନୁଗୋଳ ଜିଲ୍ଲା ପାଇଁ ଜାରି ହୋଇଛି ସତର୍କ ସୂଚନା ।
ସେହିପରି ଘନ କୁହୁଡ଼ିକୁ ନେଇ ସୁନ୍ଦରଗଡ଼, ଝାରସୁଗୁଡା ଓ ଅନୁଗୋଳ, କନ୍ଧମାଳ, କୋରାପୁଟ, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ଜାରି ହୋଇଛି ସତର୍କତା ସୂଚନା । ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ଗୋଟିଏ କିମ୍ବା ଦୁଇ ଡିଗ୍ରୀ ଊଣା ଅଧିକା ହୋଇପାରେ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଦୁର୍ବଳ ହେବା ପରେ ପୁଣି ଥରେ ରାଜ୍ୟକୁ ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଏହା ଫଳରେ ରାଜ୍ୟର ଅନେକ ସ୍ଥାନରେ ଶୀତ ବଢ଼ିବା ନେଇ ଆକଳନ କରାଯାଉଛି । ସେହିପରି ଆଗାମୀ 7 ଦିନ ଯାଏଁ ରାଜ୍ୟରେ କୌଣସି ବର୍ଷାର ସମ୍ଭାବନା ନାହିଁ, ତେଣୁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ବିଭାଗ ।












Leave a Reply