ଆଗାମୀ ଦୁଇଦିନ ପ୍ରଚଣ୍ଡ ଖରା; ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ।

ଅକ୍ଷର ବ୍ୟୁରୋ: ଦିନରେ ଅସହ୍ୟ ତାତିକୁ ରାତିରେ ଗୁଳିଗୁଳି ପୂରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଆଗାମୀ ଦୁଇଦିନ ପ୍ରଚଣ୍ଡ ଖରା । ପାଣିପାଗ ବିଭାଗର ଆକଳନ ମୁତାବକ ୩୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାତି କଲବଲ କରିବ । ଏହା ଭିତରେ ଆଗାମୀ ଦୁଇଦିନ ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ତାତି ଅନୁଭୁତ ହେବ । ପଶ୍ଚିମରେ ଖରା ଓ ଗରମ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । ସେହିପରି ଝାରସୁଗୁଡ଼ାକୁ ପାଣିପାଗ ବିଭାଗ ଚେତାବନୀ ଦେଇଛି ।

ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟରୁ ୧୧ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା କାଲି ପାଇଁ ବରଗଡ଼, ସୋନପୁର, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପ୍ରଚଣ୍ଡ ଖରା ସହ ଅପରାହ୍ନରେ କାଳବୈଶାଖୀ ହୋଇପାରେ । ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ରେ କାଳବୈଶାଖୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଅଞ୍ଚଳରେ କୁଆପଥର ସହ ବଜ୍ରପାତର ସମ୍ଭାବନା ରହିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial