ଯୋଗ କେବଳ ଆସନ ନୁହେଁ, ମାନବ ଏକତାର ଆଧାର :ପ୍ରଧାନମନ୍ତ୍ରୀ ମୋଦି

ଅକ୍ଷର ବ୍ୟୁରୋ: ଦେଶ ଓ ବିଶ୍ୱରେ ଶନିବାର ଉତ୍ସାହ ଓ ଉଦ୍ଦୀପନାର ସହ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି କୋଲକାତାର ଐତିହାସିକ ରେଡ୍ ରୋଡରେ ଆୟୋଜିତ ବୃହତ୍ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ। ଏହି ଅବସରରେ ସେ ଯୋଗର ବିଶ୍ୱବ୍ୟାପୀ ଗୁରୁତ୍ୱ ଓ ମାନବ ସମାଜ ପାଇଁ ଏହାର ଅପରିହାର୍ଯ୍ୟତା ଉପରେ ଜୋର ଦେଇଥିଲେ।

ଯୋଗ ଦିବସ ଅବସରରେ ଦେଶବାସୀ ଓ ବିଶ୍ୱ ସମୁଦାୟକୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ, ଯୋଗ କେବଳ କିଛି ଆସନ କିମ୍ବା ଶାରୀରିକ ବ୍ୟାୟାମରେ ସୀମିତ ନୁହେଁ। ଏହା ମାନବ ଏକତାର ମୂଳଦୁଆ ଏବଂ ଏକ ଉନ୍ନତ, ସୁସ୍ଥ ଓ ସନ୍ତୁଳିତ ଭବିଷ୍ୟତ ଗଠନର ଶକ୍ତିଶାଳୀ ମାଧ୍ୟମ। ବଙ୍ଗଳାର ପବିତ୍ର ଭୂମିରୁ ଭାଷଣ ଦେଇ ସେ ସ୍ୱାମୀ ବିବେକାନନ୍ଦ ଓ ମହର୍ଷି ଅରବିନ୍ଦଙ୍କୁ ସ୍ମରଣ କରି କହିଥିଲେ ଯେ, ଭାରତର ଆଧ୍ୟାତ୍ମିକ ପରମ୍ପରା ଓ ଯୋଗର ଶକ୍ତି ଆଜି ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଯୋଗ ଭାଷା, ଧର୍ମ, ଜାତି ଓ ସୀମାରେଖାରୁ ଉର୍ଦ୍ଧ୍ୱରେ ଉଠି ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧିଥାଏ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ମହର୍ଷି ଅରବିନ୍ଦଙ୍କ ଦର୍ଶନ ଅନୁଯାୟୀ ଆମର ସମଗ୍ର ଜୀବନ ହିଁ ଯୋଗ। ମଣିଷ ଏହାକୁ ଅନୁଭବ କରୁ କି ନ କରୁ, ଯୋଗ ତା’ର ଜୀବନର ପ୍ରତ୍ୟେକ କ୍ଷେତ୍ର ସହ ଜଡ଼ିତ। ଯେତେବେଳେ ଯୋଗ ଜୀବନର ସ୍ୱାଭାବିକ ଅଂଶ ହୋଇଯାଏ, ସେତେବେଳେ ଏହା ମାନବ ଏକତା ଓ ସାମାଜିକ ସଦ୍ଭାବର ଆଧାର ପାଲଟିଯାଏ। ଯୋଗ କୌଣସି ନିର୍ଦ୍ଦିଷ୍ଟ ବୟସ ବା ବର୍ଗ ପାଇଁ ନୁହେଁ। ଶିଶୁଠାରୁ ବୃଦ୍ଧ, ଛାତ୍ରଠାରୁ କର୍ମଜୀବୀ—ସମସ୍ତଙ୍କ ପାଇଁ ଯୋଗ ସମାନ ଭାବରେ ଉପକାରୀ। ଏହା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମାନସିକ ଶାନ୍ତି, ଚେତନାର ବିକାଶ ଏବଂ ଆତ୍ମିକ ଶକ୍ତି ବୃଦ୍ଧିର ମଧ୍ୟ ମାଧ୍ୟମ ହୋଇଥାଏ। ଏଥିସହ ପ୍ରଧାନମନ୍ତ୍ରୀ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ଓ ସୁସ୍ଥ ସମାଜ ଗଠନ ପାଇଁ ଏହାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)