ସ୍କୋର୍ପିଓ ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ NH-326 ଅବରୋଧ

କୋରାପୁଟ: ଜାତୀୟ ରାଜପଥ ୩୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌କୁ ସ୍କୋର୍ପିଓ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ । ଏଭଳି ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିକଟସ୍ଥ ଟିମାଝୋଲା ଗାଁ ନିକଟରେ । ମୃତକ ହେଲେ ଟିମାଝୋଲା ଗାଁର ମାଝୀ ହିକକା । ସୂଚନା ଅନୁସାରେ, ମାଝୀ ନିଜ ବାଇକ୍‌କୁ ରାସ୍ତା ପାର୍ଶ୍ୱରେ ସାଇଡ୍‌ କରି ଠିଆ ହୋଇ କଥାବାର୍ତ୍ତା କରୁଥିଲେ । ଏହି ସମୟରେ ଏକ ସ୍କୋର୍ପିଓ ଗାଡ଼ି ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ମାଝୀ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ।

ଘଟଣା ପରେ ଟିମାଝୋଲା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ NH-326 ଅବରୋଧ କରିଛନ୍ତି । ଫଳରେ ରାୟଗଡ଼ା ଓ କୋରାପୁଟକୁ ସଂଯୋଗ କରୁଥିବା ଏହି ରାଜପଥର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି । ରାସ୍ତା ଅବରୋଧ ଯୋଗୁଁ ଯାତ୍ରୀ ଓ ଗାଡ଼ି ଚାଳକମାନେ ଦୀର୍ଘ ସମୟ ଧରି ଯାତାୟାତ ସମସ୍ୟାରେ ପଡ଼ିଛନ୍ତି । ଖବର ପାଇ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଛି । ରାସ୍ତା ଅବରୋଧ ହଟାଇବା ସହ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଏହାସହ ଦୁର୍ଘଟଣାର କାରଣ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial