ଅକ୍ଷର ବ୍ୟୁରୋ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ଜାରିକଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା । ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରିବେ ନାହିଁ ଶିଶୁ । ଟ୍ରାଫିକ୍ ଛକ ହେଉ ଅବା ରାସ୍ତାକଡ଼ ଶିଶୁମାନଙ୍କୁ ଭିକ୍ଷା ବୃତ୍ତି କରିବାକୁ ଦିଆଯିବନାହିଁ । ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏନେଇ ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୋଲିସ ଅଧୀକ୍ଷକ ଏବଂ ପୌରପାଳିକା କମିଶନରଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶିଶୁ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କ ଫୋର୍ସ’ ଗଠନ କରାଯିବ । ଏହି ଟିମ୍ ରେ ପୋଲିସ ଅଧୀକ୍ଷକ, ପୌର କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ DCPO ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ ।
ଏହି ଟାସ୍କ ଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ । ଉଦ୍ଧାର ଶିଶୁମାନଙ୍କୁ ଶିଶୁ ମଙ୍ଗଳ କମିଟି CWC ନିକଟରେ ହାଜର କରାଯାଇ ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ । ସେଠାରେ ସେମାନଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାଉନସେଲିଂ ପ୍ରଦାନ କରାଯିବ । ଯେଉଁ ବ୍ୟକ୍ତି ବା ଗୋଷ୍ଠୀ ଶିଶୁମାନଙ୍କୁ ଜବରଦସ୍ତି ଭିକ୍ଷାବୃତ୍ତିରେ ନିୟୋଜିତ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶିଶୁ ଚୋରା ଚାଲାଣ ଏବଂ ଶୋଷଣ ଉପରେ ନଜର ରଖିବାକୁ ପୋଲିସର IUCAW ଏବଂ AHTU ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବସାଧାରଣଙ୍କୁ ଶିଶୁ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯିବ । ଯଦି କେହି ଏପରି ଘଟଣା ଦେଖନ୍ତି, ତେବେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ ୧୦୯୮କୁ ସୂଚନା ଦେବାକୁ କୁହାଯାଇଛି । ଏହି ଅଭିଯାନ ସମ୍ପର୍କରେ ପ୍ରତି ମାସରେ ଏକ ଅନୁପାଳନ ରିପୋର୍ଟ (Compliance Report) ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ସମସ୍ତ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।












Leave a Reply