ଅକ୍ଷର ବ୍ୟୁରୋ: ଭୁଲ ଇଞ୍ଜେକ୍ସନ ନେଲା ନାବାଳକର ଜୀବନ । ଡାକ୍ତରଙ୍କ ସାମାନ୍ୟ ଭୁଲ୍ ଚିକିତ୍ସା ପାଇଁ ୧୧ ବର୍ଷର ନାବାଳକର ମୃତ୍ୟୁ ହୋଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି କାଲୁପଡ଼ାରୁ ଆଶା ନେଇ ଆସିଥିବା ପରିବାର ଏବେ ଖାଲି ହାତରେ ଫେରୁଛି । ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲ ପରିସରରେ ଏବେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଅଭିଯୋଗ ମୁତାବକ, ୧୧ ବର୍ଷର ନାବାଳକକୁ ଭୁଲ୍ ଇଞ୍ଜେକ୍ସନ ଦିଆଯିବା ପରେ ତା’ର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା ଏବଂ ଶେଷରେ ତା’ର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାର ଲୋକେ ଡାକ୍ତର ଓ ନର୍ସଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ହସ୍ପିଟାଲ ପରିସରରେ ପହଞ୍ଚି ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ।
ଗତକାଲି ସାଇକେଲ ଚଲାଉଥିବା ବେଳେ ସାଇକେଲରୁ ପଡ଼ି ଯାଇଥିଲା ନାବାଳକ । ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲ୍ କୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ସେଠାରେ ଡାକ୍ତରଙ୍କ ଭୁଲ ଚିକିତ୍ସା ଓ ନର୍ସଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ତାଙ୍କର ଜୀବନ ଚାଲିଯାଇଥିବା ସେ ଅଭିଯୋଗ କରିଛନ୍ତି । ସାଇଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ସାମ୍ନାରେ ଚାପା ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛି । ପୂର୍ବତନ ବିଧାୟକ ସୁରେଶ ରାଉତରାୟ ଘଟଣାସ୍ଥଳରେ ପହଞ୍ଚି ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।












Leave a Reply