ଅକ୍ଷର ବ୍ୟୁରୋ: ଆଜି ହେଉଛି ଉତ୍କଳ ଦିବସ ବା ଓଡ଼ିଶା ଦିବସ । ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ । ୧୯୩୬ ମସିହା ଏପ୍ରିଲ ପହିଲା ବା ୧ ତାରିଖରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ଥିବା ଓଡିଶାକୁ ମିଳିଥିଲା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା । ଏହି ନବଗଠିତ ଓଡ଼ିଶାର ବିନ୍ଧାଣୀ ମାନଙ୍କ ସ୍ମୃତିରେ ପ୍ରତିବର୍ଷ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ମଧୁସୂଦନ ଦାଶ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ୬ଟି ଜିଲ୍ଲା ପୁରୀ, କଟକ, ବାଲେଶ୍ବର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ଏହାପରେ ଧୀରେ ଧୀରେ ଜିଲ୍ଲା ସଂଖ୍ୟା ବଢ଼ିଥିଲା । ଆଉ ବର୍ତ୍ତମାନର ଓଡିଶା ଗଠନ ହୋଇଥିଲା ।
ଆଜି ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଉଛି । ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାର ୧୪ ଦିନ ବ୍ୟାପୀ ଏହି ଦିବସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସାମଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି, ଓଡ଼ିଶା ଭାଇଭଉଣୀମାନଙ୍କୁ ଓଡ଼ିଶା ଦିବସ ଉପଲକ୍ଷେ ମୋର ଆନ୍ତରିକ ଶୁଭେଚ୍ଛା ବୋଲି କହିଛନ୍ତି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି । ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି ।












Leave a Reply