ଦୁଇ ପ୍ରମୁଖ ସେବାୟତ ନିଯୋଗ ମଧ୍ୟରେ ବିବାଦକୁ ନେଇ ପୁଣି ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ।

ଅକ୍ଷର ବ୍ୟୁରୋ: ପୁଣି ଅଚଳାବସ୍ଥାରେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର । ରୁପା ଘୋଡ଼ଣିକୁ ନେଇ ଦୁଇ ପ୍ରମୁଖ ସେବାୟତ ନିଯୋଗ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିଛି । ଫଳରେ ସୋମବାର ସକାଳ ୯ଟାରୁ ମନ୍ଦିରର ସମସ୍ତ ନୀତିକାନ୍ତି ବନ୍ଦ ରହିଥିବାରୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଦର୍ଶନ ନପାଇ ନିରାଶ ହୋଇଛନ୍ତି । ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଲିଙ୍ଗକୁ ସୁରକ୍ଷା ଦେବା ପାଇଁ ବ୍ୟବହୃତ ହେଉଥିବା ରୁପା ଘୋଡ଼ଣିକୁ ନେଇ ବିବାଦର ସୂତ୍ରପାତ ହୋଇଛି । ଗର୍ଭଗୃହ ମଧ୍ୟରେ ବଡ଼ୁ ନିଯୋଗ ଏବଂ ସୁଆର ନିଯୋଗର ସେବାୟତଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଯୁକ୍ତିତର୍କ ଓ ପରେ ଗଣ୍ଡଗୋଳ ହୋଇଥିଲା । ବିବାଦ ଏତେ ବଢ଼ିଥିଲା ଯେ, ସକାଳ ୯ଟା ପରଠାରୁ ପ୍ରଭୁଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ ସୁଆର ନିଯୋଗ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ କହିବାନୁସାରେ, ସୁଆର ନିଯୋଗ ପକ୍ଷରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ମହାପ୍ରଭୁଙ୍କ ରୁପା ଘୋଡ଼ଣିକୁ ସୁଆର ନିଯୋଗର ସେବାୟତମାନେ ଚୋରି କରି ନେଇଯାଉଥିବା ବେଳେ ବଡ଼ୁ ନିଯୋଗ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଏହି ବିବାଦ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ତୁରନ୍ତ ଅବଗତ କରାଯାଇଛି । କମଳାକାନ୍ତ ବଡ଼ୁ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ନୀତିକାନ୍ତି ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି । “ରୁପା ଘୋଡ଼ଣିକୁ ସୁରକ୍ଷା ଦେବା ଆମର କାମ, କିନ୍ତୁ ସୁଆର ନିଯୋଗ ଏହାକୁ ଚୋରି କରିବାକୁ ଉଦ୍ୟମ କରୁଛନ୍ତି ଏବଂ ବିରୋଧ କଲେ ହତ୍ୟା ଧମକ ଦେଉଛନ୍ତି” ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)