ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଶ୍ୟାମପୁରରେ ଆଜି ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଜବତ ହୋଇଛି ବିପୁଳ ପରିମାଣର ସିଲିଣ୍ଡର । ଉଚ୍ଛେଦ ବେଳେ ଘଟିଛି ଏହି ଆଶ୍ଚର୍ଯ୍ୟଜନକ ଘଟଣା । ବାହାରେ ସିଲିଣ୍ଡର ପାଇଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ବସ୍ତିରୁ ମିଳିଛି ଶହ ଶହ ସିଲିଣ୍ଡର । ଗୋଟିଏ ଘରୁ ଶତାଧିକ LPG ସିଲିଣ୍ଡର ଠାବ ହୋଇଛି । ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଶ୍ୟାମପୁର ଅଞ୍ଚଳରେ ଆଜି ବଡ଼ଧରଣର ଜବରଦଖଲ ଉଚ୍ଛେଦ ଚାଲିଛି । ଅଞ୍ଚଳରେ ବୁଲିଛି ବିଡିଏ ବୁଲଡୋଜର । ଆଖି ପିଛୁଳାକେ ମାଟିରେ ମିଶିଲା ବଡ଼ ବଡ଼ ଘର । ବିଡିଏ ପକ୍ଷରୁ ଏହା ହେଉଛି ରାଜଧାନୀରେ ସବୁଠାରୁ ବଡ଼ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ।
ପ୍ରାୟ ୬୮ ଏକର ଜମିରେ ଏହି ଜବରଦଖଲ ଉଚ୍ଛେଦ କରାଯାଉଛି । ଏହି ଉଚ୍ଛେଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୦ରୁ ଉର୍ଦ୍ଧ ପୋଲିସ ଅଫିସର ମୁତୟନ ହୋଇଛନ୍ତି । ବିଡିଏର ୧୫୦ଜଣିଆ ଟିମ୍ ବି ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୧୦ଟି ଜେସିବି ଉଚ୍ଛେଦ କାମରେ ଲାଗିଛନ୍ତି । ଏହି ସରକାରୀ ଜାଗାକୁ ଦୀର୍ଘ ବର୍ଷ ହେବ ଜବରଦଖଲ କରି ମାଡ଼ି ବସିବା ସହ ବହୁ ସ୍ଥାୟୀ ନିର୍ମାଣ ବି କରାଯାଇଛି । ମାତ୍ର ଏବେ ଆକ୍ସନ ମୁଡକୁ ଆସିଛି ବିଡିଏ । ଆଜିଠୁ ୩ ଦିନ ଧରି ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିବ । କୌଣସି ଦଙ୍ଗା ସୃଷ୍ଟି ହେଲେ ତାହାକୁ ନିୟନ୍ତ୍ରଣ ପାଇଁ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।












Leave a Reply