ଅକ୍ଷର ବ୍ୟୁରୋ: ହୁତୁହୁତୁ ହୋଇ ଜଳୁଛି ଚିଲିକା ନଳବଣ । ପୁରୀ ଜିଲ୍ଲା ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ନଳବଣରେ ନିଆଁ । ଆଜିକୁ ୬ ଦିନ ଧରି ନିଆଁ ଲାଗି ରହିଛି । କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହୀନି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଥିଲେ ସୁଦ୍ଧା ନିଆଁ ଲିଭିନାହିଁ । କଣାସର ୬ଟି ଓ ଟାଙ୍ଗୀର ୮ଜଣିଆ ଟିମ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନଳବଣ ଭିତରେ ଥିବା ବିଦେଶାଗତ ପକ୍ଷୀଙ୍କ ଜୀବନ ବିପଦରେ ଥିବା କୁହାଯାଉଛି । ପକ୍ଷୀ ଶିକାର ପାଇଁ ଦୁର୍ବୃତ୍ତ ମାନେ ଏଭଳି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି । ଚିଲିକା ମଝିରେ ଥିବା ୨ କିଲୋମିଟର ବିଶିଷ୍ଟ ଏହି ନଳବଣ ମଧ୍ୟରେ ଅନେକ ପକ୍ଷୀ ଜୀବଜନ୍ତୁ ବାସ କରନ୍ତି ।
ନଳବଣ ପକ୍ଷୀ ଅଭୟାରଣ୍ୟ ଭାବେ ଏସିଆ ମହାଦେଶର ପରିଚିତ । ନଳବଣ ବିଦେଶାଗତ ପକ୍ଷୀମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ବେଳେ ଏବେ ଅଗ୍ନିକାଣ୍ଡ ଘଟି ଶ୍ରୀହୀନ ହେଇଯାଇଛି । ଚିଲିକାରେ ଥିବା ପକ୍ଷୀମାନେ ଏବେ ଭୟଭୀତ । ସେମାନଙ୍କ ବାସସ୍ଥାନ ପୋଡ଼ି ଯାଇଥିବାରୁ ପକ୍ଷୀମାନେ ଏଣେ ତେଣେ ଉଡ଼ିବୁଲୁଛନ୍ତି । କେହି ଦୁର୍ବୃତ୍ତ ମାଛ ଧରିବା ପାଇଁ ନିଆଁ ଲଗାଇଥିବା ଅନୁମାନ କରାଯାଉଛି । ଯାହା ସୂଚନା ମିଳୁଛି ନଳବଣ ଭିତରେ କିଛି ଖାଲ ଜାଗା ରହିଛି । ତା ଭିତରୁ ମାଛ ମାରିବା ପାଇଁ ନିଆଁ ଲଗାଇଛନ୍ତି । ମାଛ ଧରିବା ପାଇଁ ଭିତରକୁ ଡଙ୍ଗା ପଶିବନି । ତେଣୁ ନଳବଣକୁ ନଷ୍ଟ କରିଦେଲେ ଡଙ୍ଗା କାତ ମାରି ଭିତରକୁ ନେଇହେବ ଓ ସହଜରେ ମାଛ ଧରି ହେବ । ତେଣୁ ମାଛ ଧରାଳିମାନେ କପଡ଼ାରେ କିରାସିନି ଢାଳି ନିଆଁ ଲଗାଇ ବଣ ଭିତରକୁ ପକାଇ ଦେଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ଟାଙ୍ଗୀ ୱାଇଲ୍ଡ ଲାଇଫ ରେଞ୍ଜର ଚିତ୍ରସେନ ଜେନା ।











Leave a Reply