ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ; କେନ୍ଦୁଝରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସାଂସଦ ଅନନ୍ତ ନାଏକ ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମଧୁବାବୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଧୁବାବୁଙ୍କୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ସୂତ୍ରଧାର ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ।

ମଧୁବାବୁଙ୍କ ସହ କେନ୍ଦୁଝରର ଥିବା ଆତ୍ମିକ ଓ ଐତିହାସିକ ସମ୍ପର୍କକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ପ୍ରଜା ଆନ୍ଦୋଳନ ସମୟରେ ଜଣେ ବିଚକ୍ଷଣ ଓକିଲ ଭାବେ ନ୍ୟାୟ ପ୍ରଦାନରେ ମଧୁବାବୁଙ୍କ ଭୂମିକା ଅବିସ୍ମରଣୀୟ । ଏହି ମାଟିରେ ତାଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି ।ରାଜ୍ୟ ସରକାର ‘ପୂଜ୍ୟ ପୂଜା ପରମ୍ପରା’କୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି । ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରକୁ ଏକ ପ୍ରମୁଖ ପର୍ଯ୍ୟଟନ ଓ ପ୍ରେରଣାସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ସରକାର ସ୍ୱତନ୍ତ୍ର ଭିତ୍ତିଭୂମି ପ୍ୟାକେଜ୍ କାର୍ଯ୍ୟକାରୀ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)