ଅକ୍ଷର ବ୍ୟୁରୋ: ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଥିବା ପରୀକ୍ଷାର୍ଥୀଙ୍କୁ ମିଳିବ ଓଡ଼ିଆ ଭାଷାରେ ଲେଖାଥିବା ସାର୍ଟିଫିକେଟ୍, ଯାହା ମାଟ୍ରିକ୍ ରେଜଲ୍ଟ୍ ବାହାରିବା ସମୟରେ ଘୋଷଣା ହୋଇଥିଲା । ମାତ୍ର ମୂଳ ସାର୍ଟିଫିକେଟ୍ ମିଳିବାରେ ଏଥର ବିଳମ୍ବ ହେବ ବୋଲି ଜଣାଯାଇଛି । କାହିଁକିନା କୃତୀ ପରୀକ୍ଷାର୍ଥଙ୍କୁ କିପରି ଓଡ଼ିଆରେ ତ୍ରୁଟିଶୂନ୍ୟ ସାର୍ଟିଫିକେଟ୍ ପ୍ରଦାନ କରିବେ ସେ ନେଇ ବୋର୍ଡ ପାଇଁ ଚିନ୍ତା ବଢ଼ିଛି । ସାଟିଫିକେଟ୍ ଯେପରି କୌଣସି ତ୍ରୁଟି ନ ରୁହେ ସେଥିଲାଗି ବର୍ଣ୍ଣ ଏବଂ ମାତ୍ରା ନିର୍ଭୁଲ୍ ରଖିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ମୂଳ ସାର୍ଟିଫିକେଟ୍ ଛପାଇବା ପାସ୍ କରିଥିବା ପରୀକ୍ଷାର୍ଥୀମାନଙ୍କ ନାଁ, ମା, ବାପାଙ୍କ ନାଁ ଜନ୍ମ ତାରିଖ, ବ୍ଲକ୍ , ଜିଲ୍ଲା ଓ ବିଦ୍ୟାଳୟ ନାମ ସମେତ କେଉଁ ବିଷୟରେ କେତେ ନମ୍ବର ରଖିଛନ୍ତି ସେସବୁ ନିର୍ଭୁଲ୍ ଭାବେ କମ୍ପ୍ୟୁଟରରେ ଓଡ଼ିଆରେ ଟାଇପ୍ କରି ବୋର୍ଡର ୱେବ୍ସାଇଟ୍ରେ ଅପଲୋଡ୍ କରିବା ପାଇଁ ରାଜ୍ୟର ୯ ହଜାରରୁ ଅଧିକ ହାଇସ୍କୁଲ୍ ପ୍ରଧାନଶିକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ପାସ୍ କରିଥିବା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ବାବଦରେ ଆସନ୍ତା ୨୫ ତାରିଖ ସୁଦ୍ଧା ବୋର୍ଡ ୱେବ୍ସାଇଟ୍ରେ ଅପଲୋଡ୍ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି । ଏଥିରେ ଅବହେଳା କଲେ ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖବର ମିଳିଛି । ଉକ୍ତ କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ରାଜ୍ୟର ପ୍ରତି ବ୍ଲକ୍ ମୁଖ୍ୟାଳୟରେ ନୋଡାଲ୍ ସେଣ୍ଟର୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଦୁଇ ଦିନ ହେଲା କୃତୀ ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍ସାଇଟ୍ରୁ ଡିଜିଟାଲ୍ ସାର୍ଟଫିକେଟ୍ ପାଇଥିଲେ ହେଁ ଏଥିରେ ଛାତ୍ରୀଛାତ୍ରୀଙ୍କ ଓଡ଼ିଆରେ ନାଁ କିମ୍ବା ଅନ୍ୟ ତଥ୍ୟ ନାହିଁ । କମ୍ପ୍ୟୁଟରରେ ଭିନ୍ନ ସଫଟ୍ୱୟାର ରହୁଥିବାରୁ ସାର୍ଟିଫିକେଟ୍ ଅପଲୋଡ୍ ସମୟରେ ଓଡ଼ିଆରେ ଲେଖା ହୋଇଥିବା ଅକ୍ଷରରେ ଅସମାଞ୍ଜସ୍ୟ ରହିବାର ସମ୍ଭାବନା ରହିଛି । ତେଣୁ ଡିଜିଟାଲ୍ ସାର୍ଟିଫିକେଟ୍ରେ ପରୀକ୍ଷାର୍ଥୀଙ୍କ ନାଁ, ଠିକଣା ଏବଂ ବାପା, ମାଆଙ୍କ ନାଁ ଓଡ଼ିଆ ଭାଷାରେ ଉଲ୍ଲେଖ ହୋଇନାହିଁ ।











Leave a Reply