ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତ; ପରିଦର୍ଶନ କଲେ ଇସ୍ରୋର ୟୁ.ଆର୍.ରାଓ ଉପଗ୍ରହ କେନ୍ଦ୍ର ଏବଂ ଇସ୍ରୋ ଉପଗ୍ରହ ସଂଯୋଜନ ଓ ପରୀକ୍ଷଣ ପ୍ରତିଷ୍ଠାନ ।

ଅକ୍ଷର ବ୍ୟୁରୋ: ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଦୁଇଦିନିଆ ବେଙ୍ଗାଲୁରୁ ଗସ୍ତ । ବେଙ୍ଗାଲୁରୁ ସ୍ଥିତ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦର ଠାରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ସେ ଇସ୍ରୋର ୟୁ.ଆର୍.ରାଓ ଉପଗ୍ରହ କେନ୍ଦ୍ର (URSC) ଏବଂ ଇସ୍ରୋ ଉପଗ୍ରହ ସଂଯୋଜନ ଓ ପରୀକ୍ଷଣ ପ୍ରତିଷ୍ଠାନ (ISITE) ପରିଦର୍ଶନ କରିବା ପାଇଁ ଯାଇଥିଲେ । ଓଡ଼ିଶା ସରକାର ଓ ଇସ୍ରୋ ମଧ୍ୟରେ ସହଭାଗିତାକୁ ନୂଆ ଉଚ୍ଚତାକୁ ନେଇ ସୁଶାସନ, ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା, କୃଷି ଓ ପ୍ରାକୃତିକ ସମ୍ପଦ ମାନଚିତ୍ର ପ୍ରସ୍ତୁତି କ୍ଷେତ୍ରରେ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତିର ପ୍ରୟୋଗକୁ ବ୍ୟାପକ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି, ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନଙ୍କ ସହ ଉପଗ୍ରହ ତଥ୍ୟକୁ ଚାଷୀର ଜମିଠାରୁ ପ୍ରଶାସନିକ ନିଷ୍ପତ୍ତି ପର୍ଯ୍ୟନ୍ତ ଯୋଡ଼ିବା ନେଇ ଆଲୋଚନା କରାଯାଇଛି । ଏହା ଓଡ଼ିଶାର ଲକ୍ଷ ଲକ୍ଷ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ । URSCର ମହାକାଶ ସଂଗ୍ରହାଳୟରେ ‘ଆର୍ଯ୍ୟଭଟ୍ଟ’ଠାରୁ ଚନ୍ଦ୍ରଯାନ-3, ଆଦିତ୍ୟ-L1 ଓ ଗଗନଯାନ ପର୍ଯ୍ୟନ୍ତ ସବୁ ବୁଲି ଦେଖିଛନ୍ତି । ଏବଂ ଭୁବନେଶ୍ୱର ଠାରେ ପ୍ରସ୍ତାବିତ ସାଇନ୍ସ ସିଟିରେ ଏଭଳି ବିଶ୍ୱସ୍ତରୀୟ ପ୍ରଦର୍ଶନୀ ସ୍ଥାପନ କରି ଓଡ଼ିଶାର ପିଲାଙ୍କ ମନରେ ବିଜ୍ଞାନ ଓ ନବୋନ୍ମେଷର ଆଶା ସୃଷ୍ଟି କରିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।

ଏହି ଅବସରରେ UFPO ଓ SEPOର କାର୍ଯ୍ୟକ୍ରମ ନିର୍ଦେଶକ ଜସବିନ୍ଦର ସିଂହ ଖୋରାଲ, URSCର ନିୟନ୍ତ୍ରକ ଅଞ୍ଜଳି ଏଲିସ୍ ଶଙ୍କର, MISAର ଉପ ନିର୍ଦ୍ଦେଶକ ବସବରାଜ.ଏସ୍ ଅକ୍କିମରାଡି, ଇସ୍ରୋ ମୁଖ୍ୟାଳୟର ସହକାରୀ ନିର୍ଦ୍ଦେଶକ ଜନ୍ ମାଥ୍ୟୁ, ଇସ୍ରୋ ମୁଖ୍ୟାଳୟର ଉପ ନିର୍ଦ୍ଦେଶକ କେ. ସତୀଶ କୁମାରଙ୍କ ସହ ଓଡିଶା ସରକାରଙ୍କ ବିଭାଗୀୟ ପଦାଧିକାରୀ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)