ନୟାଗଡ଼ ଓଡ଼ଗାଁ ଅଜିତ ସାହୁ ହତ୍ୟା ମାମଲାରେ ଜଣେ ନିର୍ଦ୍ଦୋଷକୁ ଦୋଷୀ ସାବ୍ୟସ୍ତ୍ୟ କଲା ପୋଲିସ୍; ପ୍ରେସମିଟ୍ ବେଳେ ପ୍ରତିବାଦ କଲେ ସମ୍ପୃକ୍ତ ବ୍ୟକ୍ତି

ଅକ୍ଷର ବ୍ୟୁରୋ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀବନ୍ଧ ଅଜିତ ସାହୁ ହତ୍ୟା ମାମଲାରେ ଜଣେ ନିର୍ଦ୍ଦୋଷକୁ ଦୋଷୀ ସାବ୍ୟସ୍ତ୍ୟ କଲା ପୋଲିସ୍ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ୪ ଜଣଙ୍କ ମୁହଁ ଘୋଡାଇ ପ୍ରେସମିଟ୍ କରିଥିଲେ ଆଇଜି । ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି । ତ୍ରୁଟି ହୋଇଥିବା ଜାଣିପାରି ରାତି ଅଧିଆ ଛାଡ଼ିଦେଲା ପୋଲିସ । ଗିରଫ ନୁହେଁ ଅଟକ ରଖାଯାଇଥିଲା ବୋଲି ସଫେଇ ଦେଲେ ନୟାଗଡ଼ ଏସପି । ଏଫ.ଆଇ.ଆରରେ ତାଙ୍କ ନାଁ ଥିଲା । ମୃତ ଅଜିତଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତାଙ୍କ ନାଁ ଥିଲା । ତେଣୁ ଆମେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲୁ । ତେବେ ତାଙ୍କ ସମ୍ପୃକ୍ତି ନଥିବା ଜାଣିବାପରେ ତାଙ୍କୁ ଛାଡି ଦେଇଛୁ ବୋଲି ଏସପି କହିଛନ୍ତି । ଜଣେ ନିର୍ଦ୍ଦୋଷର ମୁହଁକୁ ଘୋଡାଇ କିପରି ଅଭିଯୁକ୍ତ ଦର୍ଶାଗଲା ତାହାକୁ ନେଇ ଉଠିଲା ପ୍ରଶ୍ନ । 

ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କଦଳୀବନ୍ଧ ଠାରେ ଗତ ୧୦ତାରିଖ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା । ୨୪ ଘଣ୍ଟା ଭିତରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ଦର୍ଶାଇଥିଲା । ୧୨ ତାରିଖ ସନ୍ଧ୍ୟାରେ ଆଇଜି ସତ୍ୟଜିତ ନାୟକ ପ୍ରେସମିଟ୍ କରି ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାଇବା ସହ ୪ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରେ ମକରପଦାର ଶ୍ରୀଧର ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନାମ ରହିଥିଲା । ପ୍ରେସମିଟ୍ ସମୟରେ ଶ୍ରୀଧର ହଠାତ୍ ମୁହଁରୁ ଟାୱାଲ ବାହାର କରି ମୁଁ ନିର୍ଦ୍ଦୋଷ ମତେ ଫସେଇ ଦିଆଯାଇଛି ବୋଲି ପାଟି କରିଥିଲେ । ଏହାପରେ ପୋଲିସ ତରବରିଆ ଭାବେ ରାତିଅଧିଆ ଶ୍ରୀଧରଙ୍କୁ ଛାଡିଦେଇ ଖଣ୍ଡପଡା ଥାନା ଅଞ୍ଚଳର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ତେବେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ପୋଲିସ କାହିଁକି ଫସେଇବାକୁ ଚେଷ୍ଟା କରିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial