ଆଜି ସାବିତ୍ରୀ ଅମାବାସ୍ୟା: ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟାକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ।

ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ସାବିତ୍ରୀ ଅମାବାସ୍ୟାକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି । ସକାଳୁ ସକାଳୁ ବିବାହିତ ମହିଳାମାନେ ତାଙ୍କ ସ୍ୱାମୀଙ୍କର ଆୟୁଷ କାମନା କରି ଫଳମୂଳ ଓ ଶଙ୍ଖା ସିନ୍ଦୂର ନେଇ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସେପଟେ ଅମାବାସ୍ୟା ତିଥିରେ ଭିତର ଚନ୍ଦନ ଯାତ୍ରା ଅବସରରେ ଜଳକ୍ରୀଡ଼ା ଅନୁଷ୍ଠିତ ହେବ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ, ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଜଳକ୍ରୀଡ଼ା କରିଥାନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଶ୍ରୀମନ୍ଦିର ଭିତର ବେଢ଼ାର ଜଳକ୍ରୀଡ଼ା ମଣ୍ଡପରେ ଏହି ନୀତି ପାଳିତ ହୁଏ । ଉକ୍ତ ଦିନ ଦିବା ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସରିବା ପରେ ଦକ୍ଷିଣି ଘର ଭୋଗ ସରି ଶ୍ରୀମଦନମୋହନ ରତ୍ନ ସିଂହାସନକୁ ବିଜେ ହୋଇଥାନ୍ତି । 

ଶ୍ରୀମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଳକ୍ରୀଡ଼ା ମଣ୍ଡପକୁ ବିଜେ କରିଥାନ୍ତି । ସେଠାରେ ମହାଜନ ସେବକମାନେ ପ୍ରତିମାମାନଙ୍କୁ ଜଳକୁଣ୍ଡରେ ବିଜେ କରାଇଥାନ୍ତି ଓ ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି । ଚନ୍ଦନ ପାଣି ପିଚକାରୀ ହୋଇବା ପରେ ଶୀତଳ ଭୋଗ ଓ ଶ୍ରୀଅଙ୍ଗ ପୋଛା, ମଇଲମ, ମାଳଫୁଲ ଲାଗି ହୋଇ ବେଶ କରାଯାଏ । ଜଳକ୍ରୀଡ଼ା ନୀତି ସରିବା ପରେ ଶ୍ରୀଦେବୀ ରତ୍ନ ସିଂହାସନରେ ବିଜେ କରି ଶ୍ରୀଅଙ୍ଗ ଲାଗି ହେବେ ଓ ଶ୍ରୀମଦନମୋହନ ଦକ୍ଷିଣ ଘରକୁ ବିଜେ କରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)