ଅକ୍ଷର ବ୍ୟୁରୋ: ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଆସନ୍ତା ରଥଯାତ୍ରା ପୂର୍ବରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଥିବା ବେଳେ, ଏଥିରେ ବାଧା ସୃଷ୍ଟି କରିଛି କାଠ ସଙ୍କଟ। କାଠ ଅଭାବ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହେଉଥିବା ରଥ କାରିଗରମାନେ ଅଭିଯୋଗ କରିଛନ୍ତି। ପାଖେଇ ଆସୁଥିବା ପବିତ୍ର ରଥଯାତ୍ରା ପାଇଁ ବାରିପଦାର ବଡ଼ଦାଣ୍ଡ ଏବେ ଚଳଚଞ୍ଚଳ ହୋଇଉଠିଛି। ରଥ ଖଳାରେ ନିତି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ, ଦେବତ୍ତର ବିଭାଗ ଓ ମ୍ୟୁନିସିପାଲିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି।
ରଥ କାରିଗରମାନଙ୍କ କହିବା ଅନୁସାରେ, ପ୍ରଶାସନ ପକ୍ଷରୁ ଆବଶ୍ୟକ ମାତ୍ରାରେ କାଠ ଯୋଗାଇ ଦିଆଯାଉନଥିବାରୁ ପୁରୁଣା କାଠକୁ ଯୋଡ଼ି ରଥ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ବାଧ୍ୟ ହେଉଛନ୍ତି ରଥ ମହାପାତ୍ର ଓ ରଥ ମହାରଣା। ଏହା ଯୋଗୁଁ ରଥ ନିର୍ମାଣର ଗତି ଧୀମା ହୋଇପଡ଼ିଥିବା ବେଳେ କାରିଗରମାନେ ଆଗାମୀ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତି ନେଇ ଚିନ୍ତା ପ୍ରକାଶ କରିଛନ୍ତି।ରଥ କାରିଗରମାନେ ଆଉ ଏକ ଗୁରୁତର ଅଭିଯୋଗ ମଧ୍ୟ କରିଛନ୍ତି। ଦେବତ୍ତର ବିଭାଗ ପକ୍ଷରୁ ସେମାନଙ୍କ ପାରିଶ୍ରମିକ ଠିକ୍ ଭାବରେ ଦିଆଯାଉନଥିବାରୁ କାର୍ଯ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।ରଥଯାତ୍ରା ଭଳି ବଡ଼ ଧାର୍ମିକ ଉତ୍ସବ ପୂର୍ବରୁ ଏଭଳି ସମସ୍ୟା ସୃଷ୍ଟି ହେବା ପ୍ରଶାସନୀୟ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛି। ଭକ୍ତମାନେ ଓ କାରିଗରମାନେ ଆଶା କରୁଛନ୍ତି ଯେ, ଶୀଘ୍ର ସମସ୍ୟାର ସମାଧାନ ହୋଇ ରଥ ନିର୍ମାଣ କାର୍ଯ୍ୟ ସମୟରେ ସମାପ୍ତ ହେବ।















Leave a Reply