ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଶିଶୁଅ ପଞ୍ଚାୟତର ସାନଓଲ୍ଲା ଗାଁର ପ୍ରସିଦ୍ଧ ହରିଶହଦେବ ରାଧାକୃଷ୍ଣ ମନ୍ଦିରରେ ଏକ ବଡ଼ ଚୋରି ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ପ୍ରାୟ ୧୩୦୦ ଗ୍ରାମ ଓଜନର ରୂପା ମୁକୁଟ, ପିତ୍ତଳ ହଣ୍ଡା ଏବଂ ହୁଣ୍ଡିରୁ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ କିଛି ଦିନ ଧରି ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ମନ୍ଦିରରେ ଲଗାତାର ଚୋରି ଘଟୁଛି। ଏପର୍ଯ୍ୟନ୍ତ ପ୍ରାୟ ୧୮ଟି ମନ୍ଦିରରୁ ଚୋରି ହୋଇଥିବା ସତ୍ତ୍ୱେ ପୁଲିସ ଚୋରମାନଙ୍କୁ ଧରିପାରିନଥିବା ଅଭିଯୋଗ ଉଠିଛି। ସବୁଠାରୁ ଚିନ୍ତାଜନକ ପରିସ୍ଥିତି ହେଉଛି, ଶିଶୁଅ ପଞ୍ଚାୟତରେ ମାତ୍ର ଦୁଇ ଦିନ ମଧ୍ୟରେ ୪ଟି ମଠ ଓ ମନ୍ଦିରରେ ଚୋରି ଘଟିଛି। ଏହି ଲଗାତାର ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷ ବଢ଼ିଛି। ଗ୍ରାମବାସୀମାନେ ଚୋରି ରୋକିବାରେ ପୁଲିସର ବିଫଳତାକୁ ନିଶାନା କରିଛନ୍ତି। ସେମାନେ କହିଛନ୍ତି ଯେ, ବାରମ୍ବାର ଘଟଣା ଘଟୁଥିବା ସତ୍ତ୍ୱେ ପୁଲିସ ଚୋରମାନଙ୍କୁ ଠାବ କରିପାରୁନାହିଁ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଲୋକମାନେ ତୁରନ୍ତ ଚୋରମାନଙ୍କୁ ଗିରଫ କରିବା ସହ ଲୁଟ୍ ସାମଗ୍ରୀ ଉଦ୍ଧାର କରିବାକୁ ଦାବି କରିଛନ୍ତି। ଲଗାତାର ମନ୍ଦିର ଚୋରି ଘଟଣା ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି। ପୁଲିସ ଶୀଘ୍ର ତଦନ୍ତ କରି ଚୋରମାନଙ୍କୁ ଧରିବାକୁ ଚେଷ୍ଟା କରୁଛି।















Leave a Reply