ଅକ୍ଷର ବ୍ୟୁରୋ: ଓଡିଶା ଖଣି ନିଗମର ୭୧ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦେଇଛନ୍ତି । ଖଣି ବିସ୍ଥାପିତ ଲୋକଙ୍କ କରୁଣ କାହାଣୀ ମନେ ପକାଇ ତାଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷରେ ୪୫ ନିୟୁତ ଟନ୍ ଖଣି ସାମଗ୍ରୀ ଉତ୍ତୋଳନ କରି ରେକର୍ଡ କରିଛି ଓଏମ୍ସି । ୨୦୨୬ ସୁଦ୍ଧା ୧୦୦ ନିୟୁତ ଟନ୍ ଖଣି ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରତି ୧୦ ମେଟ୍ରିକ ଟନ୍ ଖଣି ଉତ୍ତୋଳନରେ ଗୋଟେ ଗଛ ଲଗାଉଛି ଓଏମସି । ଆଗାମୀ ବର୍ଷ ୧ କୋଟି ଗଛ ଲଗାଇ ସବୁଜବଳୟ ସୃଷ୍ଟି କରିବ ଓଏମସି ।
ସବୁଠୁ ବଡ କଥା ହେଉଛି, ଓଏମସି ସରକାରଙ୍କ ସୁରକ୍ଷାଦାତା ସାଜିଛି । ଉଭୟ ସୁଖ ଓ ଦୁଃଖ ସମୟରେ ସରକାରଙ୍କ ସାଥୀରେ ଛିଡା ହୋଇଛି ଓଏମ୍ସି ।ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଏମସି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ମେଗା ହେଲ୍ଥ କ୍ୟାମ୍ପ କରିବାର ଆବଶ୍ୟକ । ଖଣି ଖାଦାନ ଅଞ୍ଚଳରେ ଉଡୁଥିବା ଧୂଳି କଣା ପାଇଁ ସେହି ଅଞ୍ଚଳର ଲୋକେ ଅନେକ ଲୋକେ ପ୍ରଭାବିତ ହେଉଛନ୍ତି । ରୋଗ ଟି ଧୀରେ ଧୀରେ ବୃଦ୍ଧି ପାଇ ବଡ ରୋଗରେ ପରିଣତ ହୁଏ ତେଣୁ ସେହି ଅଞ୍ଚଳର ଲୋକଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମେଗା ହେଲ୍ଥ କ୍ୟାମ୍ପ କରି ଉଚ୍ଚମାନର ଚିକିତ୍ସା ଦେବାକୁ ଓଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିବେଶ ସୁରକ୍ଷା, ସୁରକ୍ଷିତ ଖଣି ପରିଚାଳନା ଏବଂ ଖଣି ଅଞ୍ଚଳର ସାମଗ୍ରିକ ବିକାଶ ଦିଗରେ ଓଏମ୍ସି ନିରନ୍ତର ଉଦ୍ୟମ ଜାରି ରଖିଛି । ସିଏସଆର୍ ପଦକ୍ଷେପ ମାଧ୍ୟମରେ ଖଣି ଅଞ୍ଚଳ ଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ମହିଳା ସଶକ୍ତିକରଣ, କ୍ରୀଡା, ଭିତ୍ତିଭୂମି ବିକାଶ ଦିଗରେ ଅନେକ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ଅଞ୍ଚଳରେ ସକରାତ୍ମକ ପରିବର୍ତ୍ତନ ଆଣିଛି । ମେସିନ୍ ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ଖଣି କ୍ଷେତ୍ରରେ ଅଧିକ ନିୟୋଜିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଗମକୁ ପରାମର୍ଶ ଦେଇଥିଲେ । ଏହାଦ୍ବାରା ସ୍ଥାନୀୟ ବାସିନ୍ଦାଙ୍କର ଜୀବନ ଜୀବିକା ଆହୁରି ସୁଦୃଢ ହେବ ବୋଲି ସେ ମତ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାଳିଆପାଣି ଠାରେ ନବନିର୍ମିତ ଓଡିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ, ଖଣି ଅଞ୍ଚଳ ବାସୀଙ୍କ ପାଇଁ ୮ଟି ଅତ୍ୟାଧୁନିକ Basic Life Support Ambulance, ସମନ୍ବିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଓ-ସ୍ବାସ୍ଥ୍ୟ ନାମକ ଏକ ଡିଜିଟାଲ୍ ସ୍ବାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏଥି ସହିତ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ରିଜିଅନ୍ କୁ ପୁରସ୍କୃତ କରିଥିଲେ।















Leave a Reply