ମନଇଚ୍ଛା ବଦଳି ଉପରେ ରୋକ ଲଗେଇଲେ ରାଜ୍ୟ ସରକାର; ସଚିବାଳୟ ବା କୌଣସି ନିର୍ଦ୍ଦେଶାଳୟରେ ୩ବର୍ଷ ରହିପାରିବେନି ଅଫିସର ।

ଅକ୍ଷର ବ୍ୟୁରୋ: ମନଇଚ୍ଛା ବଦଳି ଉପରେ ରୋକ ଲଗେଇଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ପୂର୍ବରୁ ପ୍ରଚଳିତ ନୀତିକୁ ବଦଳାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ସଚିବାଳୟ ବା କୌଣସି ନିର୍ଦ୍ଦେଶାଳୟରେ ୩ବର୍ଷ ରହିପାରିବେନି ଅଫିସର । ବ୍ଲକ କିମ୍ବା ତହସିଲରେ ୬ବର୍ଷ ରହିପାରିବେନି ଗ୍ରୁପ C ଅଫିସର । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲା ବଦଳି ମନା । କେବଳ ନିୟମ ଆଧାରରେ ବଦଳି କରାଯିବ । ବଦଳି ଅର୍ଡରରେ ରହିବ ରିଲିଭ ଓ ଜଏନିଙ୍ଗ୍ ସମୟ ସୀମା । କେବେ ସୁଦ୍ଧା ପୁରୁଣା ଦାୟିତ୍ୱ ହସ୍ତାନ୍ତର କରିବେ, କେଉଁ ସମୟ ସୀମା ସୁଦ୍ଧା ନୂଆ ଦାୟିତ୍ୱରେ ଯୋଗ ଦେବେ, ତାହା ସରକାରୀ ନିର୍ଦ୍ଦେଶନାମାରେ ଏଣିକି ସ୍ପଷ୍ଟ ଉଲ୍ଲେଖ ରହିବ । ଏହି ପ୍ରକିୟାରେ ସ୍ଵଚ୍ଛତା ରଖିବାକୁ ସମସ୍ତ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି କଡା ନିର୍ଦ୍ଦେଶ ଦେଇଛି ସାଧାରଣ ପ୍ରଶାସନ ବିଭାଗ ।

ନୂଆ ନିୟମ କାର୍ଯ୍ୟକାରୀ ହେଲେ କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି । ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ୩ ବର୍ଷ ପୂର୍ବରୁ ମଧ୍ୟ ବଦଳି କରାଯାଇପାରିବ । ଗ୍ରୁପ ‘ଏ’ ଓ ‘ବି’ ପାହ୍ୟାର କୌଣସି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ସେହିପରି ଗ୍ରୁପ୍‌ ‘ସି’ ପାହ୍ୟାର କର୍ମଚାରୀ ଏକ ନିର୍ଦ୍ଦିଷ୍ଟ ବ୍ଲକ କିମ୍ବା ତହସିଲରେ ୬ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ସଚିବାଳୟ ଏବଂ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ମିନିଷ୍ଟ୍ରିଆଲ କ୍ୟାଡର କର୍ମଚାରୀ ଗୋଟିଏ ନିର୍ଦ୍ଦିଷ୍ଟ ଆସନରେ ୩ ବର୍ଷରୁ ଅଧିକ ସମୟ ବସିପାରିବେ ନାହିଁ ।

ଗ୍ରୁପ-ଏ, ଗ୍ରୁପ୍‌-ବି ପାହ୍ୟାର ସମ୍ବେଦନଶୀଳ ପଦବୀଗୁଡ଼ିକରେ ଅଧିକାରୀମାନେ ନିଜ ଜିଲ୍ଲାରେ ନିଯୁକ୍ତ ହେବେନି । ତେବେ ସମ୍ବେଦନଶୀଳ ପଦବୀରେ ନଥିବା ଅଧିକାରୀମାନେ ଅବସର ଗ୍ରହଣ କରିବାର ଦୁଇ ବର୍ଷ ପୂର୍ବରୁ ନିଜ ଜିଲ୍ଲା କିମ୍ବା ନିଜ ପସନ୍ଦ ଜିଲ୍ଲାକୁ ବଦଳି ପାଇଁ ଆବେଦନ କରିପାରିବେ । ଉଭୟ ସ୍ୱାମୀ-ସ୍ତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିଲେ, ସଂପୃକ୍ତ ଦମ୍ପତ୍ତିଙ୍କୁ ଗୋଟିଏ ସ୍ଥାନରେ ପୋଷ୍ଟିଂ ଦେବାର ବ୍ୟବସ୍ଥା ନେଇ ବିଚାର କରାଯିବ । କେବିକେ ଅଞ୍ଚଳରେ କ୍ରମାଗତ ୬ ବର୍ଷ କାମ କରିଥିବା କର୍ମଚାରୀଙ୍କୁ ନିଜ ଜିଲ୍ଲା କିମ୍ବା ପସନ୍ଦ ଜିଲ୍ଲାଙ୍କୁ ବଦଳି ହେବାର ସୁବିଧା ମିଳିବ । ହେଲେ ସମ୍ବେଦନଶୀଳ ପଦବୀ କ୍ଷେତ୍ରରେ କଟକଣା ରହିବ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)