ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ବିରୋଧରେ ଅଭିଯୋଗ ଆଣିଲେ ଅଭିଯୋଗକାରୀ । ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ମହିଳା ଓ ତାଙ୍କ ପୁଅଙ୍କ ଠାରୁ ଅଭିଯୋଗ ନରଖି ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା ଥାନା ଭିତରେ ନିର୍ମମ ମାଡ ମାରିଥିବାନେଇ ଅଭିଯୋଗ ହୋଇଛି । ପୁଅ ଆଗରେ ମାଆର ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ନିର୍ମମ ମାଡ ମରାଯାଇଥିବା ବେଳେ ମାଆ ଆଗରେ ପୁଅକୁ ପାଇଖିନା ଭିତରେ ପୁରାଇ ମାଡ ମରାଯାଇଛି । ଦୀର୍ଘ ୬ ଘଣ୍ଟା କାଳ ଥାନା ଭିତରେ ମାଆ ପୁଅଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯିବା ପରେ ତାଙ୍କୁ ଛଡ଼ାଯାଇଛି । ପୋଲିସ ମାଡରେ ଆହତ ମାଆ ପୁଅ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏନେଇ ଆଇଆଇସି ସନ୍ଧ୍ୟାରାଣୀ ଜେନା ଓ ଅନ୍ୟ ଜଣେ କନେଷ୍ଟବଳ ମିଳିତ ଭାବେ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିବା ନେଇ ପଟାମୁଣ୍ଡାଇ ଏସଡିପିଓଙ୍କୁ ପାଖରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ପାରିବାରିକ ଗଣ୍ଡଗୋଳକୁ ନେଇ ରାଜନଗର ବ୍ଲକ୍ ବାଘମାରି ପଞ୍ଚାୟତ ଗିରିଆପାହି ଗ୍ରାମର ପବନ ମଣ୍ଡଳ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳ(୫୮) ଓ ପୁଅ ଅନନ୍ତ ମଣ୍ଡଳ(୩୧)ଙ୍କ ବିରୋଧରେ ତାଳଚୁଆ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଡାକରାରେ ମା’-ପୁଅ ୨୫ ତାରିଖ ସନ୍ଧ୍ୟାରେ ଥାନାକୁ ଯାଇଥିଲେ । ଥାନାରେ ପହଞ୍ଚି ଅନ୍ନପୂର୍ଣ୍ଣା ତାଙ୍କ ସ୍ୱାମୀ ପବନ ମଣ୍ଡଳଙ୍କ ବିରୋଧରେ ପାଲଟା ଅଭିଯୋଗ ପତ୍ର ଥାନା ଅଧିକାରୀ ସଂଧ୍ୟାରାଣୀ ଜେନାଙ୍କୁ ଦେଇଥିଲେ । ମାତ୍ର ଆଇଆଇସି ତାଙ୍କ ଅଭିଯୋଗ ପତ୍ର ରଖିବା ପରିବର୍ତ୍ତେ ମା’-ପୁଅଙ୍କୁ ଗାଳିଗୁଲଜ କରି ଅନ୍ନପୂର୍ଣ୍ଣାଙ୍କ ଚୁଟି ଟାଣି ଘୋଷାରିଥିଲେ । ପୁଅ ସମ୍ମୁଖରେ ତାଙ୍କୁ ଅର୍ଦ୍ଧଉଲଗ୍ନ କରି ଚାପୁଡ଼ା ମାରିବା ପରେ ମଥାରୁ ସିନ୍ଦୂର ପୋଛି ଦେଇଥିଲେ । ଏହାପରେ ଅନନ୍ତଙ୍କୁ ପାଇଖାନା ମଧ୍ୟରେ ପୂରାଇ ଅନ୍ୟ ଜଣେ କନେଷ୍ଟବଳଙ୍କ ସହିତ ନିସ୍ତୁକ ପିଟିଥିଲେ । ଅନନ୍ତଙ୍କ ତଣ୍ଟି ଚିପି ଧରିବାରୁ ସେ ଜୀବନ ବିକଳରେ ଚିତ୍କାର କରିଥିଲେ । ଏହାପରେ ଆଇଆଇସି ତାଙ୍କୁ ଛାଡ଼ି ଦେଇ ତାଙ୍କ ମୋବାଇଲ ନେଇ ଯାଇଥିବା ଅନ୍ନପୂର୍ଣ୍ଣା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।
ଏ ସଂପର୍କରେ ଥାନାଧିକାରୀ ଶ୍ରୀମତୀ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ଏହା କପୋଳକଳ୍ପିତ ଓ ମିଥ୍ୟା ଅଭିଯୋଗ । ପାରିବାରିକ ଗଣ୍ଡଗୋଳକୁ ସମାଧାନ କରିବା ପାଇଁ ଭଦ୍ରଲୋକଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ମୁଁ ମଧ୍ୟ ମା’-ପୁଅଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲି । ମାତ୍ର ସେମାନେ ଉଦ୍ଦେଶ୍ୟମୂଳକ ଭାବେ ମୋ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଥାନାରେ ସିସିଟିଭି ଲାଗିଛି । ଅନୁଧ୍ୟାନ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ଶ୍ରୀମତୀ ଜେନା ପ୍ରତିକ୍ରିୟା ରଖିଛନ୍ତି । ତେବେ ଏନେଇ ମା’-ପୁଅ ପଟ୍ଟାମୁଣ୍ଡାଇ ଏସ୍ଡିପିଓଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।












Leave a Reply