ଏଣିକି ହସ୍ପିଟାଲରେ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ ପ୍ୟାକେଜ୍ ଭିତରେ ରହିବ; ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ଆୟୁଷ୍ମାନ ଭାରତ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖବର । ଏଣିକି ହସ୍ପିଟାଲରେ ଆଡମିଟ୍ ହେବା ପୂର୍ବରୁ କରାଯାଉଥିବା ସମସ୍ତ ମେଡିକାଲ୍ ପରୀକ୍ଷା ଆୟୁଷ୍ମାନ ପ୍ୟାକେଜ୍ ଭିତରେ ରହିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାରେ ଚିକିତ୍ସା ପାଉଥିବା ରୋଗୀଙ୍କ ପାଇଁ ଏହା ଏକ ବଡ଼ ପଦକ୍ଷେପ । ସାଧାରଣତଃ ଦେଖାଯାଉଥିଲା ଯେ, ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ କରାଯାଇଥିବା ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କ ପରିବାରକୁ ଅଲଗା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଏହି ଖର୍ଚ୍ଚ ଏବେ ଆୟୁଷ୍ମାନ ପ୍ୟାକେଜ୍ ଅନ୍ତର୍ଭୁକ୍ତ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ପଷ୍ଟ କରିଛନ୍ତି ।

ମନ୍ତ୍ରୀଙ୍କ ଏହି ଘୋଷଣା ପରେ ସମସ୍ତ ଘରୋଇ ହସ୍ପିଟାଲକୁ କଡ଼ା ତାଗିଦ୍ କରାଯାଇଛି । ଯଦି କୌଣସି ହସ୍ପିଟାଲ ଏହି ନିୟମକୁ ଅବମାନନା କରେ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ନିୟମ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଯାଞ୍ଚ କରିବ । କେବଳ ପରୀକ୍ଷା ନୁହେଁ, ହସ୍ପିଟାଲ କର୍ମଚାରୀମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କିଭଳି ଭଲ ବ୍ୟବହାର କରିବେ, ତାହା ଉପରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି । କୌଣସି ପ୍ରକାର ଅଭିଯୋଗ ଯେପରି ନ ଆସିବ, ସେଥିପ୍ରତି ସତର୍କ ରହିବାକୁ ସମସ୍ତ ହସ୍ପିଟାଲ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)