ଭୁବନେଶ୍ୱର: ବେପାରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ । ଭୁବନେଶ୍ୱର ଘାଟିକିଆ ଛକରେ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ମୃତ ଯୁବକଙ୍କ ନାମ ସୌମ୍ୟରଂଜନ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୩୩ ବର୍ଷ ବୋଲି ଜଣାପଡିଛି । ସେ ରାଜଧାନୀ ଉପକଣ୍ଠ ପାଇକରାପୁର ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି ।
ଆଜି ସକାଳ ସମୟରେ ସୌମ୍ୟରଞ୍ଜନ ଜଗନ୍ନାଥ ବିହାରରେ ଥିବା ନିଜ ଦୋକାନ ଖୋଲିବାକୁ ଆସୁଥିଲେ । ଏହି ସମୟରେ ଭୁବନେଶ୍ୱର ଉପକଣ୍ଠ ପାଇକରାପୁର ରୋଡ ନିକଟରେ ଏକ ଘରୋଇ କଲେଜ୍ ବସ୍ ସୌମ୍ୟରଂଜନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ସୌମ୍ୟରଂଜନଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ବେପାରୁଆ ଗାଡ଼ି ଚାଳନାକୁ ଦାୟୀ କରି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ। ଏହାସହ ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ କ୍ଷତିପୂରନ ଦେବା ପାଇଁ ଅଡ଼ି ବସିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା ଉପରେ ଶବ ଏବଂ ଗାଡ଼ି ରଖି ଅବରୋଧ କରିଛନ୍ତି ଲୋକେ। ଯାହାଫଳରେ ଗମନାଗମନରେ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଇନ୍ଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ହେଲେ ସ୍ଥାନୀୟ ଲୋକ ନିଜ ଜିଦ୍ରେ ଅଟଳ ରହିଛନ୍ତି ।














Leave a Reply