ଅକ୍ଷର ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଯାତ୍ରାରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ଖରାପ ପାଗ ଯୋଗୁଁ ତାଙ୍କ ବିମାନ ପଶ୍ଚିମବଙ୍ଗର କଲାଇକୁଣ୍ତାରେ ଅବତରଣ କରିଥିଲା। ସେଠାରୁ ସଡ଼କପଥରେ ତାଙ୍କ କାରକେଡ୍ ମୟୂରଭଞ୍ଜ ଅଭିମୁଖେ ବାହାରିଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ହେଉଥିବା ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି। କାରଣ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାସାଙ୍ଗରେ ମୟୂରଭଞ୍ଜ ମାଟିରେ ପାଦ ଦେବେ।
ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜନ୍ମଗ୍ରାମ ପାହାଡ଼ପୁରକୁ ଆସୁଛନ୍ତି। ଏହି ଅବସରରେ ସମଗ୍ର ପାହାଡ଼ପୁର ଗ୍ରାମକୁ ସଜାଯାଇଥିବାବେଳେ ଗ୍ରାମବାସୀମାନେ ଉଭୟ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। କାର୍ଯ୍ୟକ୍ରମ ଅନୁଯାୟୀ, ଉଭୟ ନେତା ପ୍ରଥମେ ଆଦିବାସୀଙ୍କ ସାମାଜିକ ଓ ଧାର୍ମିକ ଆସ୍ଥାର କେନ୍ଦ୍ର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିବେ। ଏହାପରେ ସାନ୍ତାଳୀ ଜାହିରା ପୀଠ ଓ ହୋ-ମୁଣ୍ଡା ଜାହିରା ପୀଠ ଦର୍ଶନ କରିବେ।
ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ନେଇ ଚାକିରି ପାଇଥିବା ଯୁବକ ଓ ଯୁବତୀମାନଙ୍କ ସହ ଆଲୋଚନା କରିବେ। ଏହାକୁ ନେଇ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରାଷ୍ଟ୍ରପତି ତାଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏସ୍ଏଲ୍ଏସ୍ ମେମୋରିଆଲ୍ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେଠାରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ ମଧ୍ୟ କରିବେ।
ସ୍କୁଲ ପରିସରରେ ଆୟୋଜିତ ଆଞ୍ଚଳିକ ହସ୍ତଶିଳ୍ପ ମେଳା ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି | ଏହି ଗସ୍ତର ସବୁଠାରୁ ବଡ଼ ଆକର୍ଷଣ ହେବ ଦାଣ୍ଡବୋଷରେ ଆୟୋଜିତ ବିଶାଳ ଜନସଭା। ଏଠାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରୁ ଓଡ଼ିଶା ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ୫୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୪୦ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ।ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଭିତ୍ତିଭୂମି, ଶିଳ୍ପ, ପରିବହନ, ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନୂଆ ଦିଗ ଖୋଲିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ୧୩୫ ପ୍ଲାଟୁନ୍ ପୁଲିସ ଫୋର୍ସ, ୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ, ଦୁଇଜଣ କମାଣ୍ଡାଣ୍ଟ, ୧୦ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏପଟେ ରାଇରଙ୍ଗପୁର ଓ ପାହାଡ଼ପୁର ଅଞ୍ଚଳର ହେଲିପ୍ୟାଡ୍ ଓ ସଭାସ୍ଥଳଗୁଡ଼ିକୁ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।












Leave a Reply