ଅକ୍ଷର ବ୍ୟୁରୋ: ଓଡ଼ିଶାର ରାଜନୈତିକ ଓ ପ୍ରଶାସନିକ ଇତିହାସରେ ଆଜିର ଦିନ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ନିଜ ଜନ୍ମମାଟି ମୟୂରଭଞ୍ଜରେ ଜନ୍ମଦିନ ପାଳନ କରିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଏହି ଅବସରରେ ଆଜି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ଆହୁରି ଭବ୍ୟ କରିବା ପାଇଁ ଉଭୟ ନେତା ଏକାଠି ହୋଇ ରାଜ୍ୟବାସୀଙ୍କୁ ଦେବେ ୪୬,୬୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ମହାଭେଟି।
ରାଜ୍ୟର ଶକ୍ତି, ସଡ଼କ, ଜଳସେଚନ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ହଜାର ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିର୍ତ୍ତିପ୍ରସ୍ଥର ସ୍ଥାପନା କରାଯିବ। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ବିକାଶ ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଦାଣ୍ଡବୋଷ ଏୟାର୍ଷ୍ଟ୍ରିପ୍ ନିକଟ ପଡ଼ିଆରେ ଆୟୋଜିତ ହେବାକୁ ଥିବା ବିଶାଳ ଜନସଭା ଏହି ଗସ୍ତର ମୁଖ୍ୟ ଆକର୍ଷଣ ହେବ। ସେଠାରେ ପ୍ରଧାନମନ୍ତ୍ରୀ ଜନସମାବେଶକୁ ସମ୍ବୋଧିତ କରି ରାଜ୍ୟର ବିକାଶ ଓ ଆଗାମୀ ଯୋଜନା ନେଇ ନିଜ ମତ ରଖିବେ।
ଏହି ଐତିହାସିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାକୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ i, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ବିଧାୟକ ଓ ସାଂସଦମାନେ ଉପସ୍ଥିତ ରହିବେ।
ସଭା ପୂର୍ବରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗସ୍ତ କରିବେ। ସେଠାରେ ଦକ୍ଷତା ବିକାଶ କେନ୍ଦ୍ର ଓ ଆଦିବାସୀଙ୍କ ପାରମ୍ପରିକ ପୂଜାସ୍ଥଳୀ ପରିଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଟ୍ରଷ୍ଟ ବୋର୍ଡ ସଦସ୍ୟଙ୍କ ସହ ଭାବବିନିମୟ କରିବେ। ରାଷ୍ଟ୍ରପତିଙ୍କ ଜନ୍ମଦିନ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଏବଂ ହଜାର ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପ ଘୋଷଣା ସହ ଆଜି ମୟୂରଭଞ୍ଜ ଦେଶର ରାଜନୈତିକ ଓ ବିକାଶ ମାନଚିତ୍ରର କେନ୍ଦ୍ରବିନ୍ଦୁ ପାଲଟିବାକୁ ଯାଉଛି।












Leave a Reply