ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରାକ୍ଟର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଅକ୍ଷର ବ୍ୟୁରୋ: ଜାତୀୟ ରାଜପଥ-୨୬ରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ଯୁବକଙ୍କ ଜୀବନ ନେଇଛି। ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଫଟାମୁଣ୍ଡା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ସହ ଧକ୍କା ହେବାରୁ କପିଳ ସେନାପତି (୩୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, କପିଳ ନିଜ ଗାଁ ଚେରୁପାଲିକୁ ଏକ ବାଇକ୍‌ରେ ଫେରୁଥିବା ବେଳେ ଜାତୀୟ ରାଜପଥ-୨୬ର ଅଗ୍ନିଶମ କାର୍ଯ୍ୟାଳୟ ନିକଟ ଫଟାମୁଣ୍ଡା ଛକ ପାଖରେ ଏକ ଟ୍ରାକ୍ଟର ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ସେ ଗୁରୁତର ଭାବେ ଆହତ ହୋଇଥିଲେ।

ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଅବସ୍ଥାରେ କପିଳଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (VIMSAR)କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଭାଗ୍ୟ ତାଙ୍କ ସାଥି ଦେଇନଥିଲା। ବୁର୍ଲା ନେବା ବାଟରେ ହିଁ କପିଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଦୁଃଖଦ ଖବର ପରିବାର ଓ ଗାଁରେ ଶୋକର ଲହରୀ ସୃଷ୍ଟି କରିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଡୁଙ୍ଗୁରିପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)