ଅକ୍ଷର ବ୍ୟୁରୋ: ମୟୂରଭଞ୍ଜର ପାହାଡ଼ପୁରରେ ଆଜି ସୃଷ୍ଟି ହୋଇଛି ଏକ ଐତିହାସିକ ଓ ଭାବବିହ୍ୱଳ ମୁହୂର୍ତ୍ତ। ନିଜ ୬୮ତମ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଜନ୍ମମାଟି ବୁଲାଇ ଦେଖାଇଥିଲେ। ଗାଁର ବିଭିନ୍ନ ସ୍ଥାନ ପରିଦର୍ଶନ କରାଇବା ସହ ଆଦିବାସୀ ସମାଜର ପରମ୍ପରା, ସଂସ୍କୃତି, ଭାଷା ଓ ଜୀବନଶୈଳୀ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ରାଷ୍ଟ୍ରପତି। ଏହି ଅବସରରେ ପାହାଡ଼ପୁର ଗାଁ ଉତ୍ସବମୁଖର ପରିବେଶରେ ଭରିଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ବିରଳ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।
ରାଇରଙ୍ଗପୁର ଦାଣ୍ଡବୋଷରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଗସ୍ତ ରାଇରଙ୍ଗପୁର ଓ ମୟୂରଭଞ୍ଜର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବ। ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ ମାଧ୍ୟମରେ ରାଇରଙ୍ଗପୁରକୁ ଦେଶର ଏକ ବିକଶିତ ଅଞ୍ଚଳରେ ପରିଣତ କରିବାର ପଥ ପ୍ରଶସ୍ତ ହେବ। ଏହି ପଦକ୍ଷେପ ମୟୂରଭଞ୍ଜର କାୟାକଳ୍ପ ବଦଳାଇଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ନିଜ ଅଭିଭାଷଣରେ ରାଷ୍ଟ୍ରପତି ଆଦିବାସୀ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଆଦିବାସୀ ସମୁଦାୟର ଐତିହ୍ୟ ଓ ପରିଚୟକୁ ସଂରକ୍ଷଣ କରିବା ଦିଗରେ ହେଉଥିବା କାର୍ଯ୍ୟ ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ଅବଦାନ ସାବ୍ୟସ୍ତ ହେବ। ଆଦିବାସୀ ଅଞ୍ଚଳର ପିଲାମାନଙ୍କ ଉଚ୍ଚଶିକ୍ଷା ସ୍ୱପ୍ନ ସାକାର କରିବା ପାଇଁ ବିଭିନ୍ନ ଶିକ୍ଷାମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେହିପରି ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ସୂଚନା ଦେଇଥିଲେ। ଏହା ମୟୂରଭଞ୍ଜ ଏବଂ ପାର୍ଶ୍ୱବର୍ତ୍ତୀ ଆଦିବାସୀ ଅଞ୍ଚଳର ଲୋକଙ୍କ ପାଇଁ ଏକ ବଡ଼ ସ୍ୱାସ୍ଥ୍ୟ ସୁବିଧା ହେବ ବୋଲି ସେ କହିଥିଲେ। ଆଦିବାସୀ ଭାଷା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବା ସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସାକାର ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।












Leave a Reply