ଅକ୍ଷର ବ୍ୟୁରୋ: ରାଜ୍ୟରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଜାରି ରହିବ। ବଜ୍ରପାତ, ଘଡ଼ଘଡ଼ି, ପ୍ରବଳ ବର୍ଷା ଏବଂ ଝଡ଼ୋ ପବନକୁ ନେଇ ପୂରା ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ପାଇଁ ସମଗ୍ର ରାଜ୍ୟକୁ ଆଲର୍ଟ ଜାରି ହୋଇଥିବା ବେଳେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସ୍ୱତନ୍ତ୍ର ଚେତାବନୀ ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ କେତେକ ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ୋ ପବନ ବହିବାର ସମ୍ଭାବନା ରହିଛି। ଏହା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିବାର ଆଶଙ୍କା ରହିଥିବାରୁ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ପ୍ରବଳ ପବନ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ଆଗାମୀ ସାତ ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କାଳବୈଶାଖୀର ଏହି ପ୍ରଭାବକୁ ଦୃଷ୍ଟିରେ ରଖି ଖୋଲା ସ୍ଥାନରେ ଆଶ୍ରୟ ନେବା, ଗଛ ତଳେ ନ ରହିବା ଏବଂ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
















Leave a Reply