ଅକ୍ଷର ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଫାର୍ମ ହାଉସରେ ପଶି ବନ୍ଧୁକ ଦେଖାଇ ଦମ୍ପତିଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା ଓ ମୋବାଇଲ ଫୋନ ଲୁଟ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ଲୁଟ ସାମଗ୍ରୀ ସହ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ଓ ଦୁଇଟି ମୋଟରସାଇକେଲ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ଗତ ୧୯ ତାରିଖ ରାତି ପ୍ରାୟ ୮ଟା ବେଳେ ଗୋକୁଳପଲ୍ଲୀ ଗ୍ରାମର ରଜନୀକାନ୍ତ ମିଶ୍ରଙ୍କ ଫାର୍ମ ହାଉସରେ ୬ ଜଣ ସଶସ୍ତ୍ର ଦୁର୍ବୃତ୍ତ ପ୍ରବେଶ କରିଥିଲେ। ସେମାନେ ବନ୍ଧୁକ ଦେଖାଇ ରଜନୀକାନ୍ତ ମିଶ୍ର ଓ ତାଙ୍କ ସ୍ତ୍ରୀଙ୍କୁ ବାନ୍ଧି ଦେଇଥିଲେ। ପରେ ଘର ଭିତରେ ତଲାସି କରି ପ୍ରାୟ ୧୫ ତୋଳା ସୁନା ଅଳଙ୍କାର, ୧୨ ହଜାର ଟଙ୍କା ନଗଦ ଓ ଦୁଇଟି ମୋବାଇଲ ଫୋନ ଲୁଟ କରି ଫେରାର ହୋଇଯାଇଥିଲେ।
ଘଟଣା ପରେ ପୁଲିସ ଏକ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ କରିଥିଲା। ଖବର ଆଧାରରେ କଙ୍କଣାଦେଇ ମନ୍ଦିର ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ରୁଦ୍ରନାରାୟଣ ସେଠୀ, ଶୁଭମ ରାଉତ, ଜିତେନ୍ଦ୍ର ଖଟେଇ ଓରଫ ହିନ, ଦୂତିକୃଷ୍ଣ ନାୟକ, ମନୋରଞ୍ଜନ ଗୌଡ଼, ସନ୍ତୋଷ ମହାପାତ୍ର ଓ ରାଜୀବ କୁମାର ଦାସ। ପୁଲିସ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସୁନା ଅଳଙ୍କାର, ନଗଦ ଟଙ୍କା, ମୋବାଇଲ ଫୋନ, ଏକ ଦେଶୀ ପିସ୍ତଲ, ଜୀବନ୍ତ ଗୁଳି ଏବଂ ଦୁଇଟି ମୋଟରସାଇକେଲ ଜବତ କରିଛି। ତେବେ ଏହି ଡକାୟତି ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସର ତଲାସି ଜାରି ରହିଛି।













Leave a Reply