ଦେବଗଡ଼ ସିଂହଶାଳ ବାଲିଘାଟରେ ଶ୍ରମିକ ମୃତଦେହ ଉଦ୍ଧାର: ମାଟି ଭିତରୁ ମିଳିଲା ଶବ, ସାଇଣ୍ଟିଫିକ ଟିମର ତଦନ୍ତ ଜୋରଦାର

ଅକ୍ଷର ବ୍ୟୁରୋ: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ବାଲିଘାଟରେ ନିଖୋଜ ହୋଇଥିବା ଜଣେ ଶ୍ରମିକଙ୍କ ମୃତଦେହ ପୋତା ଅବସ୍ଥାରେ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ମେଘଫାର୍ସନପୁର ଗ୍ରାମର ଶ୍ରମିକ ଇନ୍ଦ୍ରମଣି ମୁଣ୍ଡା ଗତ ଶୁକ୍ରବାରଠାରୁ ବାଲିଘାଟରେ କାମ କରିବାକୁ ଆସି ନିଖୋଜ ହୋଇଥିଲେ। ପରିବାର ଓ ଗ୍ରାମବାସୀମାନେ ବାଲିଘାଟରେ ମୃତଦେହକୁ ପୋତି ଦିଆଯାଇଥିବା ସନ୍ଦେହ କରି ବାରକୋଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିବା ସହ ବାଲିଘାଟ କ୍ୟାମ୍ପ ଓ ମେସିନ୍ ଛାଡ଼ି କର୍ମଚାରୀମାନେ ଫେରାର ହୋଇଯାଇଥିବା ଘଟଣା ସନ୍ଦେହକୁ ଆହୁରି ଗଭୀର କରିଥିଲା। ଗତକାଲି ସନ୍ଧ୍ୟାରେ ଗ୍ରାମବାସୀମାନେ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ରାସ୍ତାରୋକ ଆନ୍ଦୋଳନ କରିଥିଲେ, ଯାହା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ପରବର୍ତ୍ତୀ ସମୟରେ ଗତରାତିରେ ବାଲିଘାଟ ମଧ୍ୟରେ ପୋତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଠାବ ହେବା ପରେ ଆଜି ପୁଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତୀବ୍ର କରିଛି। ମୃତକଙ୍କ ସ୍ତ୍ରୀ ରୀନା ମୁଣ୍ଡାଙ୍କ ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ମାମଲା ରୁଜୁ କରିଛି। ଏହା ସହ ବାଲିଘାଟ ନିଲାମଧାରୀ ପାଲଲହଡ଼ା ଥାନାଞ୍ଚଳର ନରୋତ୍ତମ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଘଟଣା ସମ୍ପର୍କରେ ଅଜ୍ଞାତ ଥିବା କହିଛନ୍ତି। ଏପଟେ କ୍ୟାମ୍ପ ଛାଡ଼ି ଅଭିଯୁକ୍ତ ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିବା ଅଭିଯୋଗକୁ ନେଇ ଗ୍ରାମବାସୀମାନେ ପୁଣିଥରେ ଆନ୍ଦୋଳନକୁ ଓଲ୍ହାଇଛନ୍ତି। ସେମାନେ ପୀଡିତ ପରିବାରକୁ ଉଚିତ କ୍ଷତିପୂରଣ, ବାଲିଘାଟ ଲିଜ ବାତିଲ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)