ଅକ୍ଷର ବ୍ୟୁରୋ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (CADA)ର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ସକାଳୁ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର, କଟକ, ବାଲେଶ୍ୱର ଏବଂ ମାଲକାନଗିରିରେ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଥିବାବେଳେ ମୋଟ ୭ଟି ସ୍ଥାନରେ ଯାଞ୍ଚ ଚାଲିଛି।
ସୂଚନା ଅନୁଯାୟୀ, ପଦ୍ମଲୋଚନ ନାୟକଙ୍କ ନାମରେ ଥିବା ଆୟବହିର୍ଭୂତ ସମ୍ପତ୍ତିର ତଥ୍ୟ ମିଳିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାପକ ଅପରେସନ୍ ଆରମ୍ଭ କରାଯାଇଛି। ସମ୍ବଲପୁରର ଧନୁପାଲି ସ୍ଥିତ ଭଡ଼ା ଘର, ସରକାରୀ କାର୍ଯ୍ୟାଳୟ ଏବଂ କଟକର ବିଦ୍ୟାଧରପୁର ଅଞ୍ଚଳରେ ଥିବା ତାଙ୍କର ୩ ମହଲା କୋଠାରେ ଭିଜିଲାନ୍ସ ଅଧିକାରୀମାନେ ତନଖି କରୁଛନ୍ତି।
କେବଳ ଏତିକି ନୁହେଁ, କଟକ ସହରରେ ପଦ୍ମଲୋଚନ ନାୟକଙ୍କ ସହଯୋଗୀଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ ଚଳାଇଛି। ସେହିପରି ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ମୁଖାଲିସ ଗାଁରେ ଥିବା ଦୁଇ ମହଲା କୋଠା ଏବଂ ମାଲକାନଗିରିର କାଲିମେଳା ଅଞ୍ଚଳରେ ଜଣେ ସହଯୋଗୀଙ୍କ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି। ଏହି ହାଇପ୍ରୋଫାଇଲ୍ ରେଡ୍ରେ ୪ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ଦସ୍ତାବିଜ, ବ୍ୟାଙ୍କ ଜମା, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି। ଭିଜିଲାନ୍ସ ଟିମ୍ ଚଢ଼ାଉ ସମୟରେ ମିଳୁଥିବା ଦସ୍ତାବିଜ ଏବଂ ସମ୍ପତ୍ତିର ମୂଲ୍ୟାଙ୍କନ ଆଧାରରେ ପଦ୍ମଲୋଚନ ନାୟକଙ୍କ ଆୟ ଓ ସମ୍ପତ୍ତିର ହିସାବ ଯାଞ୍ଚ କରୁଛି। ଚଢ଼ାଉ ଶେଷ ପରେ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।












Leave a Reply