ତ୍ରିଶୂଳିଆ ବ୍ରିଜରେ ଭୟଙ୍କର ଦୁର୍ଘଟଣା: ହାଇୱା-କାର ମୁହାଁମୁହିଁ ଧକ୍କା, ଚାଳକ ମୃତ; ୩ ଆହତ

ଅକ୍ଷର ବ୍ୟୁରୋ: କଟକ-ତ୍ରିଶୂଳିଆ ବ୍ରିଜ ଉପରେ ଭୋର ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳାଙ୍କ ସମେତ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ହାଇୱା ଓ କାର ମଧ୍ୟରେ ହୋଇଥିବା ଏହି ମୁହାଁମୁହିଁ ଧକ୍କା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ତାଳଚେରରୁ ଏକ କାରରେ ୪ ଜଣ ଯାତ୍ରୀ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ଭୋର ପ୍ରାୟ ୪ଟା ସମୟରେ କାରଟି ତ୍ରିଶୂଳିଆ ସ୍ଥିତ ସୁବାସ ବ୍ରିଜ ଉପରେ ପହଞ୍ଚିଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଚାଳକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଉଦ୍ୟମ ପରେ କାର ଭିତରୁ ଚାପି ହୋଇଥିବା ଚାଳକଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)କୁ ସ୍ଥାନାନ୍ତର କରାଯାଇଥିଲା।ତେବେ ଏସ୍‌ସିବି ମେଡିକାଲରେ ଡାକ୍ତର କାର ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଜଣେ ମହିଳାଙ୍କ ସମେତ ଆହତ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବାରଙ୍ଗ ପୋଲିସ ଦୁର୍ଘଟଣାଗ୍ରସ୍ତ ହାଇୱା ଓ କାରକୁ ଜବତ କରିଛି। ଘଟଣାର ପ୍ରକୃତ କାରଣ ଏବଂ ଫେରାର ଚାଳକଙ୍କ ସନ୍ଧାନ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି। ଭୋରର ନିରବତାକୁ ଭାଙ୍ଗି ଦେଇଥିବା ଏହି ଭୟଙ୍କର ଦୁର୍ଘଟଣା ପୁଣିଥରେ ଜାତୀୟ ରାଜପଥରେ ବେପରୁଆ ଗାଡ଼ି ଚାଳନା ଓ ସଡ଼କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)