ସାତକୋଶିଆରେ ହାତୀ ଆତଙ୍କ: ଘରୁ ଟାଣି ନେଇ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା, ସପ୍ତାହକରେ ଗଲା ୩ ଜୀବନ

ଅକ୍ଷର ବ୍ୟୁରୋ: ସାତକୋଶିଆ ଅଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ନେଉନି। ପୁଣି ଏକ ହୃଦୟବିଦାରକ ଘଟଣାରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ଅନ୍ତର୍ଗତ ଲିମ୍ବଡ଼ିହ ଗାଁର ଜଣେ ମହିଳାଙ୍କ ଜୀବନ ନେଇଛି ଏକ ବଣୁଆ ହାତୀ। ମୃତ ମହିଳା ହେଲେ ନଳିନୀ ସାହୁ। ହାତୀଟି ଘର ଭିତରୁ ତାଙ୍କୁ ଟାଣି ନେଇ କଚାଡ଼ି ମାରିଥିବା ଘଟଣା ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗତ ରାତିରେ ହାତୀଟି ଲିମ୍ବଡ଼ିହ ଗାଁକୁ ପଶିଥିଲା। ସେହି ସମୟରେ ନଳିନୀ ସାହୁ ଘରେ ଥିବାବେଳେ ହାତୀଟି ତାଙ୍କୁ ଘରୁ ଟାଣି ନେଇ ଆକ୍ରମଣ କରିଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସାତକୋଶିଆ ଅଞ୍ଚଳରେ ଏହା ପ୍ରଥମ ଘଟଣା ନୁହେଁ। ଗତ ବୁଧବାର ମଧ୍ୟ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରି ମାରିଥିଲା। ଫଳରେ ମାତ୍ର ସପ୍ତାହକ ମଧ୍ୟରେ ହାତୀ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। କ୍ରମାଗତ ଭାବେ ଘଟୁଥିବା ଏହି ମୃତ୍ୟୁ ଘଟଣା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ହେଲେ ଗାଁଗୁଡ଼ିକରେ ଆତଙ୍କର ପରିବେଶ ସୃଷ୍ଟି ହେଉଛି। ହାତୀ ଭୟରେ ଲୋକେ ଘରୁ ବାହାରିବାକୁ ମଧ୍ୟ ସାହସ କରିପାରୁନାହାନ୍ତି। ଚାଷବାସ, ଦୈନନ୍ଦିନ କାମକାଜ ଓ ସାଧାରଣ ଜୀବନଯାପନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଘଟଣାର ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି। ଅନ୍ୟପଟେ ବନ ବିଭାଗର କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ହାତୀର ଗତିବିଧି ସମ୍ପର୍କରେ ସ୍ଥାନୀୟ ରେଞ୍ଜର ଓ ଫରେଷ୍ଟର ଠିକ୍ ସମୟରେ ସୂଚନା ଦେଉ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ବାରମ୍ବାର ଜନଜୀବନ ହାନି ସତ୍ତ୍ୱେ ହାତୀ ଉପଦ୍ରବ ନିୟନ୍ତ୍ରଣ ପାଇଁ ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ୩ ଜଣଙ୍କ ଜୀବନ ନେଇଥିବା ଏହି ଦନ୍ତା ହାତୀ ଏବେ ସାତକୋଶିଆ ଅଞ୍ଚଳର ଲୋକଙ୍କ ପାଇଁ ଆତଙ୍କର ପ୍ରତୀକ ପାଲଟିଥିବା ବେଳେ, ବନ ବିଭାଗର ତୁରନ୍ତ ହସ୍ତକ୍ଷେପ ଦାବି ଜୋର ଧରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)