ଅକ୍ଷର ବ୍ୟୁରୋ: ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କ୍ରମଶଃ ସକ୍ରିୟ ହେଉଥିବା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସମଗ୍ର ରାଜ୍ୟକୁ ଆବୃତ କରିବା ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ମୌସୁମୀ ବାୟୁ ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର ଓ ସୁନ୍ଦରଗଡ଼ ସମେତ ରାଜ୍ୟର ଅନେକ ଅଞ୍ଚଳକୁ ଛୁଇଁସାରିଥିବା ବେଳେ ଏହାର ପ୍ରଭାବରେ ବର୍ଷା କାର୍ଯ୍ୟକଳାପ ଜୋରଦାର ହୋଇଛି।
ଜୁନ୍ ମାସର ପ୍ରଥମାର୍ଦ୍ଧରେ ରାଜ୍ୟରେ ସ୍ୱାଭାବିକଠାରୁ ପ୍ରାୟ ୪୮ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଥିଲା। ତେବେ ଗତ କିଛି ଦିନ ଧରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହେଉଥିବା ଲଗାତାର ବର୍ଷା ଯୋଗୁଁ ବର୍ଷା ନିଅଣ୍ଟିଆ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ପାଣିପାଗ ବିଭାଗ କହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ମଧ୍ୟ ରହିଛି। ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ଆଶଙ୍କା ଥିବାବେଳେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିପାରେ। ଅନ୍ୟପଟେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ୬୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି।ମୌସୁମୀ ବର୍ଷା ପ୍ରଭାବରେ ରାଜ୍ୟର ଅଧିକାଂଶ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଏହାର ପ୍ରଭାବରେ ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ଏବଂ ଗ୍ରୀଷ୍ମ ପ୍ରକୋପରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବ। ସମୁଦ୍ର ଅଶାନ୍ତ ରହିବା ସହ ଉପକୂଳ ଅଞ୍ଚଳରେ ଝଟକା ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନ ଯିବା ପାଇଁ କଡ଼ା ସତର୍କବାଣୀ ଜାରି କରାଯାଇଛି। ମୌସୁମୀର ଏହି ସକ୍ରିୟତା ଚାଷୀଙ୍କ ପାଇଁ ଆଶାର କିରଣ ଆଣିଥିବା ବେଳେ, ପ୍ରବଳ ବର୍ଷା ଓ ଝଟକା ପବନକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।












Leave a Reply