ଅକ୍ଷର ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ ସୋମବାର ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟି ଏକାସଙ୍ଗେ ଦୁଇ ଭାଇଙ୍କ ଜୀବନ ଚାଲିଯାଇଛି। ବୋଲଗଡ଼ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ନିକଟରେ ଘଟିଥିବା ଏହି ଅଘଟଣ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ମୃତକ ଦୁଇ ଭାଇ ହେଲେ ଦିଘିରି ଗାଁର ଆକାଶ ପ୍ରଧାନ ଓ ବିକାଶ ପ୍ରଧାନ।
ସୂଚନା ଅନୁଯାୟୀ, ଆକାଶ ଓ ବିକାଶ ଏକ ବାଇକ୍ରେ ଘରକୁ ଫେରୁଥିବା ବେଳେ ଦିଘିରି ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ସେମାନଙ୍କ ବାଇକ୍ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଉଭୟ ଭାଇ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି। ଏକାସଙ୍ଗେ ପରିବାରର ଦୁଇ ପୁଅଙ୍କ ଅକାଳ ମୃତ୍ୟୁ ପ୍ରଧାନ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିଦେଇଛି। ଗାଁରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ମୃତକଙ୍କ ପରିବାର ପ୍ରତି ସମବେଦନାର ସୁଅ ଛୁଟିଛି। ଏକ ମୁହୂର୍ତ୍ତର ଦୁର୍ଘଟଣା ଦୁଇ ଭାଇଙ୍କ ଜୀବନ ନେଇଯାଇଥିବା ବେଳେ, ବୋଲଗଡ଼ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।












Leave a Reply