ଶୋଇବା ଘର ତଳେ ନାଗର ଆସ୍ତାନା! ଏକାସାଙ୍ଗେ ଉଦ୍ଧାର ହେଲା ୨୩ଟି ନାଗଛୁଆ

ଅକ୍ଷର ବ୍ୟୁରୋ: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଚନ୍ଦୁକୁଡ଼ା ଗାଁରେ ଏକ ଚମକପ୍ରଦ ଓ ଭୟଭୀତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଗାଁର ଗୌରାଙ୍ଗ ଜେନାଙ୍କ ଶୋଇବା ଘର ଭିତରୁ ଏକାସାଙ୍ଗେ ୨୩ଟି ନାଗଛୁଆ ଉଦ୍ଧାର କରାଯାଇଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, ଗୌରାଙ୍ଗ ଜେନା ନିଜ ଶୋଇବା ଘରେ ଏକ ଛୋଟ ସାପ ବୁଲୁଥିବା ଦେଖିଥିଲେ। ସାଧାରଣ ସାପ ଭାବି ତାହାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାପଟି ଫଣା ଟେକି ଚୋଟ ମାରିବାକୁ ଉଦ୍ୟମ କରିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ପରେ ଘର ଭିତରେ ଆହୁରି କିଛି ସାପ ଥିବା ସନ୍ଦେହ ହେବାରୁ ସେମାନେ ସତର୍କ ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍‌ର ରାଜ୍ୟ ସଂଯୋଜକ ପ୍ରମୋଦ ସାହୁଙ୍କୁ ସୂଚନା ଦିଆଯାଇଥିଲା। ଏହାପରେ ତାଙ୍କ ସହଯୋଗୀ ଜାହାଙ୍ଗୀର ଖାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଘରର ସମ୍ପୂର୍ଣ୍ଣ ଚଟାଣ ଖୋଳି ତଲାସି କରାଯାଇଥିଲା। ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଘର ଭିତରୁ ଏକ ପରେ ଏକ ମୋଟ ୨୩ଟି ନାଗଛୁଆ ଉଦ୍ଧାର କରାଯାଇଥିଲା। ଏଥିସହ କିଛି ସାପ ଅଣ୍ଡାର ଖୋଳପା ମଧ୍ୟ ମିଳିଥିଲା, ଯାହାରୁ ଜଣାପଡ଼ିଥିଲା ଯେ ସେଠାରେ ସାପର ବସା ଥିଲା। ନାଗଛୁଆ ଉଦ୍ଧାର ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭିଡ଼ ଜମିଥିବା ବେଳେ ସମସ୍ତେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। ସ୍ନେକ୍ ହେଲ୍ପଲାଇନ୍ ଟିମ୍ ଉଦ୍ଧାର କରାଯାଇଥିବା ସମସ୍ତ ନାଗଛୁଆଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳରେ ଛାଡ଼ି ଦେଇଥିବା ସୂଚନା ମିଳିଛି। ବର୍ଷା ଋତୁ ଆରମ୍ଭ ହେବା ସହ ସାପମାନେ ନିଜ ବିଲରୁ ବାହାରକୁ ଆସି ବାସଗୃହ ନିକଟରେ ଆଶ୍ରୟ ନେଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ସ୍ନେକ୍ ହେଲ୍ପଲାଇନ୍ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)