ଅକ୍ଷର ବ୍ୟୁରୋ: ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ବ୍ରହ୍ମପୁର ସହରକୁ ପଲିଥିନ୍ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତାକାଲିଠାରୁ ସହରରେ ପଲିଥିନ୍ ବିକ୍ରି ଓ ବ୍ୟବହାର ଉପରେ କଡ଼ା ନିଷେଧ ଲାଗୁ ହେବା ସହ ନିୟମ ଉଲ୍ଲଂଘନ କଲେ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ଉପରେ ଜରିମାନା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି।
ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଧାୟକ ଏବଂ ମହାନଗର ନିଗମର ଆୟୁକ୍ତ। ସହରରେ ଚାଲୁଥିବା ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନକୁ ଆହୁରି ତୀବ୍ର କରାଯାଇଛି, ଯାହାର ଅଂଶ ଭାବେ ପଲିଥିନ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷ୍ୟ ରହିଛି। ଆଜି କମାପଲ୍ଲୀ ପାରିବା ବଜାରରେ ଅନୁଷ୍ଠିତ ସ୍ୱଚ୍ଛତା ଅଭିଯାନରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର,ମହାନଗର ନିଗମ ଆୟୁକ୍ତ ଏ. ସସ୍ୟା ରେଡ୍ଡୀ, ମେୟର ସଂଘମିତ୍ରା ଦଳେଇ ଓ ଉପଆୟୁକ୍ତ ଆଶୀର୍ବାଦ ପରିଡ଼ା ସହ ବହୁ ଅଧିକାରୀ ଯୋଗଦେଇଥିଲେ। ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ସଚେତନତା ସୃଷ୍ଟି କରିବା ପାଇଁ ଲୋକଙ୍କୁ ଝୋଟ ବ୍ୟାଗ୍ ବଣ୍ଟନ କରାଯାଇଥିଲା। ବିଧାୟକ ନିଜେ ଲୋକଙ୍କୁ ପଲିଥିନ୍ ତ୍ୟାଗ କରିବାକୁ ଆହ୍ୱାନ ଦେଇଥିଲେ।
ପ୍ରଶାସନ ସ୍ପଷ୍ଟ କରିଛି ଯେ, ଆସନ୍ତାକାଲିଠାରୁ ଏକ ବିଶେଷ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ତଦାରଖ କରିବ। ପଲିଥିନ୍ ବିକ୍ରେତା ଓ ବ୍ୟବହାରକାରୀ ଧରାପଡ଼ିଲେ ତୁରନ୍ତ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ସହର ଗଠନ ଲକ୍ଷ୍ୟରେ ବ୍ରହ୍ମପୁରର ଏହି ପଲିଥିନ୍ ବିରୋଧୀ ଅଭିଯାନ ଏବେ ନୂଆ ଅଧ୍ୟାୟ ଆରମ୍ଭ କରିଛି।












Leave a Reply