ତାମିଲନାଡୁରେ ଟ୍ରେନ୍‌ରୁ ଖସି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: କାମ ଅନ୍ୱେଷଣରେ ତାମିଲନାଡୁ ଯାଉଥିବା ବେଳେ ଘଟିଲା ଅଘଟଣ। ଟ୍ରେନ୍‌ରୁ ଖସି ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ସ୍ୱର୍ଗତ ଟିଙ୍କା ବେହେରାଙ୍କ ବଡ଼ ପୁଅ ଟୁନା ବେହେରା (୩୧) ।

ସୂଚନା ଅନୁଯାୟୀ, ଟୁନା କାମ ଅନ୍ୱେଷଣରେ ଗୁରୁବାର ବ୍ରହ୍ମପୁରରୁ ଟ୍ରେନ୍‌ ଯୋଗେ ତାମିଲନାଡୁର ଚେନ୍ନାଇ ଯାଉଥିଲେ। ଚେନ୍ନାଇରେ ପହଞ୍ଚିବାକୁ ଆଉ ଅଳ୍ପ ବାଟ ବାକି ଥିବା ବେଳେ ଶନିବାର ଭୋର ପ୍ରାୟ ୫ଟା ସମୟରେ ମାଲେପାଟମ୍ୱକମ୍ ଗାଁ ନିକଟରେ ଟ୍ରେନ୍‌ରୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଖବର ପାଇ କୁଡ଼ାଲୁର୍ ପୋର୍ଟ ଜଙ୍କସନ୍ ରେଲୱେ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସରକାରୀ ହସ୍ପିଟାଲ୍‌କୁ ପଠାଯାଇଛି। ଟୁନାଙ୍କ ସହ କାମ କରିବାକୁ ତାମିଲନାଡୁ ଯାଇଥିବା ଗାଁର ପପୁ ସେଠୀ ଓ ରାଜୀବ ବେହେରା ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ। ଟୁନାଙ୍କ ଅକାଳ ବିୟୋଗ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ସେ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ଅତ୍ୟନ୍ତ ଗରିବ ପରିବାରର ନିଜସ୍ୱ ଘର ନଥିବାରୁ ସେମାନେ ଭଡ଼ା ଘରେ ରହୁଥିବା ଜଣାପଡ଼ିଛି। ଟୁନାଙ୍କ ବିଧବା ମା’ ଝୁନୁ ବେହେରା ଓ ଦିବ୍ୟାଙ୍ଗ ଭଉଣୀ ଏବେ ଅସହାୟ ହୋଇପଡ଼ିଛନ୍ତି। ପୁଅକୁ ହରାଇ ମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ। ପରିବାରର ଏଭଳି ଦୁର୍ଦ୍ଦିନରେ ସରକାରୀ ସହାୟତା ପାଇଁ ଦାବି ଜୋର ଧରିଛି।

ଘଟଣା ସାମ୍ନାକୁ ଆସିବା ପରେ ପଞ୍ଚାୟତ ସମିତି ସଭ୍ୟ ଶିବରାମ ମହାନ୍ତି ମୃତଦେହକୁ ଭିଟାମାଟିକୁ ଆଣିବା ସହ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ମୃତକଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

ଏହାସହ ଗୃହହୀନ ପରିବାରକୁ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବାକୁ ମଧ୍ୟ ଦାବି ହୋଇଛି। ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ କହିଛନ୍ତି ଯେ ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ସହାୟତା ଯୋଗାଇଦେବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍‌ଙ୍କ ଦୃଷ୍ଟି ଆକର୍ଷଣ କରାଯିବ। କାମ ଅନ୍ୱେଷଣରେ ଘରୁ ଦୂର ତାମିଲନାଡୁ ଯାଉଥିବା ବେଳେ ଟୁନାଙ୍କ ଅକାଳ ମୃତ୍ୟୁ ପରିବାରକୁ ଗଭୀର ସଙ୍କଟ ମଧ୍ୟକୁ ଠେଲିଦେଇଛି। ଏବେ ମୃତଦେହକୁ ଶୀଘ୍ର ଗାଁକୁ ଫେରାଇ ଆଣିବା ସହ ଅସହାୟ ପରିବାରକୁ ସରକାରୀ ସହାୟତା ମିଳିବା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial