ଅକ୍ଷର ବ୍ୟୁରୋ: ବିଦ୍ୟାଳୟରେ ତାଲା, ରାସ୍ତା ଉପରେ ପାଠପଢ଼ା। ଶ୍ରେଣୀ ଗୃହ ଥାଇ ବି ଛାତ୍ରଛାତ୍ରୀଙ୍କୁ ମିଳୁନି ସୁରକ୍ଷିତ ଓ ସୁସ୍ଥ ଶିକ୍ଷା ପରିବେଶ। କେଉଁଠି ବର୍ଷା ହେଲେ ଛାତରୁ ପାଣି ଗଳୁଛି ତ ଆଉ କେଉଁଠି ପିଲାଙ୍କ ପାଇଁ ନାହିଁ ଶୌଚାଳୟ। ବିଦ୍ୟାଳୟର ଏଭଳି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ଶେଷରେ ବିଦ୍ୟାଳୟ ଗେଟ୍ରେ ତାଲା ପକାଇଛନ୍ତି ଅଭିଭାବକ। ଏଭଳି ଚିତ୍ର ମାଲକାନଗିରି ସହରର ଚିଦାନନ୍ଦ ସାହି ପ୍ରାଥମିକ ବିଦ୍ୟାଳୟରୁ ସାମ୍ନାକୁ ଆସିଛି।
ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ବର୍ଷା ହେଲେ ବିଦ୍ୟାଳୟର ଶ୍ରେଣୀ ଗୃହ ଛାତରୁ ପାଣି ଗଳୁଛି। ଫଳରେ ଶ୍ରେଣୀ ଗୃହ ଭିତରେ ପିଲାଙ୍କ ପାଠପଢ଼ା କରିବା ଅସୁବିଧାଜନକ ହୋଇପଡ଼ୁଛି। ଏହା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶୌଚାଳୟ ମଧ୍ୟ ନଥିବା ଅଭିଯୋଗ ହୋଇଛି। ସମସ୍ୟା ସମ୍ପର୍କରେ ବାରମ୍ବାର ଜଣାଇବା ସତ୍ତ୍ୱେ ସ୍ଥାୟୀ ସମାଧାନ ନହେବାରୁ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଅଭିଭାବକଙ୍କ ପ୍ରତିବାଦ ଯୋଗୁଁ ବିଦ୍ୟାଳୟ ଭିତରେ ପାଠପଢ଼ା ବନ୍ଦ ହୋଇଯାଇଥିଲା। ହେଲେ ପିଲାଙ୍କ ପାଠପଢ଼ା ଯେପରି ବନ୍ଦ ନହୁଏ, ସେଥିପାଇଁ ଶିକ୍ଷକମାନେ ନେଇଥିଲେ ଅଭିନବ ପଦକ୍ଷେପ। ଜରିପାଲ ଟାଣି ରାସ୍ତାକଡ଼ରେ ପିଲାଙ୍କୁ ପାଠ ପଢ଼ାଇଥିଲେ ଶିକ୍ଷକ। ଯେଉଁଠି ଶ୍ରେଣୀ ଗୃହ ଭିତରେ ପାଠପଢ଼ା ହେବା କଥା, ସେଠି ରାସ୍ତା ଉପରେ ଚାଲିଥିଲା ପାଠପଢ଼ା।
ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ମଧ୍ୟ ତତ୍ପର ହୋଇଛି। ଏବିଇଓ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଏକ ବିଦ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ଅସ୍ଥାୟୀ ଭାବେ ପିଲାଙ୍କୁ ଅନ୍ୟ ବିଦ୍ୟାଳୟକୁ ପଠାଇଦେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବନାହିଁ ବୋଲି ଅଭିଭାବକମାନେ କହିଛନ୍ତି। ଚିଦାନନ୍ଦ ସାହି ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମିକୁ ତୁରନ୍ତ ସୁଧାରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସୁସ୍ଥ ଶିକ୍ଷା ପରିବେଶ ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।












Leave a Reply