ଅଧାରେ ଅଟକିଲା ଡିଜିପି ଚୟନ ବୈଠକ: ଜଣଙ୍କ ନାଁକୁ ନେଇ ଅଡୁଆ, ବିନା ନିଷ୍ପତ୍ତିରେ ସ୍ଥଗିତ ରହିଲା ବୈଠକ

ଅକ୍ଷର ବ୍ୟୁରୋ: ଅଧାରେ ଅଟକିଲା ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟା। ୟୁପିଏସ୍‌ସି ଅଧ୍ୟକ୍ଷ ଅଜୟ କୁମାରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ୟୁପିଏସ୍‌ସି କାର୍ଯ୍ୟାଳୟରେ ବସିଥିବା ଡିଜିପି ଚୟନ ବୈଠକ ଅଧାରୁ ବାତିଲ ହୋଇଛି। କୌଣସି ନିଷ୍ପତ୍ତି ନ ହୋଇ ବୈଠକ ସ୍ଥଗିତ ରହିଥିବା ବେଳେ ପରବର୍ତ୍ତୀ ବୈଠକ କେବେ ବସିବ, ସେନେଇ ଏଯାଏଁ କୌଣସି ସ୍ପଷ୍ଟତା ମିଳିନାହିଁ। ଏହାକୁ ନେଇ ଏବେ ରାଜ୍ୟ ପ୍ରଶାସନିକ ଓ ପୁଲିସ ମହଲରେ ଚର୍ଚ୍ଚା ଜୋର ଧରିଛି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଶୁକ୍ରବାର ପୂର୍ବାହ୍ଣରେ ୟୁପିଏସ୍‌ସି କାର୍ଯ୍ୟାଳୟରେ ବୈଠକ ବସିଥିଲା। ଏଥିରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ପୁଲିସ ଡିଜି ୱାଇବି ଖୁରାନିଆ ଯୋଗ ଦେଇଥିଲେ। ରାଜ୍ୟ ସରକାର ପକ୍ଷରୁ ସୁପାରିସ କରାଯାଇଥିବା ୧୧ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ୩ ଜଣଙ୍କ ନାଁ ଚୟନ କରାଯିବାର ଥିଲା। ପରେ ଏହି ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ଡିଜିପି ଭାବେ ନିଯୁକ୍ତ କରିଥାନ୍ତେ।

ତେବେ ବୈଠକରେ ବରିଷ୍ଠତା ଭିତ୍ତିରେ ଆସିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଅଧିକାରୀଙ୍କ ନାଁକୁ ବାଦ୍‌ ଦେବା ପାଇଁ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସଂପୃକ୍ତ ଅଧିକାରୀଙ୍କ ନାଁରେ ଓପିଆରବି ପରୀକ୍ଷା ମାମଲାରେ ତଦନ୍ତ ଚାଲିଥିବା ଏବଂ ସରକାରଙ୍କ ପକ୍ଷରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଥିବା ନେଇ ବୈଠକରେ ଯୁକ୍ତି ଦିଆଯାଇଥିବା କୁହାଯାଉଛି। ହେଲେ କୌଣସି ବୈଧ ଦସ୍ତାବିଜ ବିନା ସଂପୃକ୍ତ ଅଧିକାରୀଙ୍କ ନାଁକୁ ଚୟନ ତାଲିକାରୁ ବାଦ୍‌ ଦିଆଯାଇପାରିବ ନାହିଁ ବୋଲି ୟୁପିଏସ୍‌ସି ଅଧ୍ୟକ୍ଷ ସ୍ପଷ୍ଟ କରିଥିବା ଜଣାପଡ଼ିଛି। ଏହାପରେ ଆଲୋଚନା ଆଗକୁ ବଢ଼ିପାରିନଥିଲା। ଶେଷରେ କୌଣସି ନିଷ୍ପତ୍ତି ନ ନେଇ ବୈଠକକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି।

ପରବର୍ତ୍ତୀ ବୈଠକ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମୟ ମଗାଯାଇଥିବା ମଧ୍ୟ ଜଣାପଡ଼ିଛି। ଏପଟେ ବର୍ତ୍ତମାନର ଡିଜି ୱାଇବି ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପରବର୍ତ୍ତୀ ଡିଜିପି ଚୟନ ଓ ନିଯୁକ୍ତି ପ୍ରକ୍ରିୟା ସାରିବା ଆବଶ୍ୟକ। ଡିଜିପିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ୮ ଦିନ ବାକି ଥିବାବେଳେ ଡିଜିପି ଚୟନ ବୈଠକ ଅଧାରୁ ବାତିଲ ହେବା ଘଟଣା ଏବେ ରହସ୍ୟ ଘେରରେ। ଜଣେ ଅଧିକାରୀଙ୍କ ନାଁକୁ ନେଇ ଉଠିଥିବା ଆପତ୍ତି, ବୈଧ ଦସ୍ତାବିଜ ଦାଖଲ ପ୍ରସଙ୍ଗ ଏବଂ ପରବର୍ତ୍ତୀ ବୈଠକ ପାଇଁ ଅଧିକ ସମୟ ମଗାଯିବାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial