ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ମହିଳା ଥାନାରୁ ଫେରାର ହୋଇଥିବା ଦୁଷ୍କର୍ମ ଅଭିଯୁକ୍ତ ରୁଦ୍ର ପ୍ରସାଦ ସୁତାରକୁ ଶେଷରେ ବାଙ୍ଗାଲୁରୁରୁ ଗିରଫ କରିଛି କମିଶନରେଟ ପୁଲିସ। ଥାନାରୁ ଖସି ପଳାଇବା ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ, ପ୍ରଯୁକ୍ତିଗତ ଟ୍ରାକିଂ ଓ ଗୁପ୍ତ ସୂଚନା ଆଧାରରେ ଅଭିଯୁକ୍ତକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି ପୁଲିସ।
ପୁଲିସ ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ବାସିନ୍ଦା ରୁଦ୍ର ପ୍ରସାଦ ସୁତାରଙ୍କ ବିରୋଧରେ ଜଣେ ମହିଳାଙ୍କ ସହ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ରହିଛି। ଏହି ମାମଲାର ତଦନ୍ତ ପାଇଁ ତାଙ୍କୁ ଭଦ୍ରକରୁ ଭୁବନେଶ୍ୱର ଅଣାଯାଇ ମହିଳା ଥାନାରେ ରଖାଯାଇଥିଲା। ତେବେ ପଚରାଉଚରା ସମୟରେ ଜଳଖିଆ ଖାଇବା ବାହାନାରେ ସୁଯୋଗ ନେଇ ସେ ମହିଳା ଥାନାରୁ ଫେରାର ହୋଇଯାଇଥିଲା। ଏହାପରେ କ୍ୟାପିଟାଲ ଥାନାରେ ପୃଥକ ମାମଲା ରୁଜୁ ହେବା ସହ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ଖୋଜାଖୋଜି ଆରମ୍ଭ ହୋଇଥିଲା।
ପ୍ରଯୁକ୍ତିଗତ ସହାୟତା, ମୋବାଇଲ ଲୋକେସନ ଓ ଗୁପ୍ତ ସୂଚନାକୁ ଆଧାର କରି ପୁଲିସ ବାଙ୍ଗାଲୁରୁରେ ତାଙ୍କ ଲୁଚିଥିବା ସ୍ଥାନ ଚିହ୍ନଟ କରିଥିଲା। ସ୍ଥାନୀୟ ପୁଲିସର ସହଯୋଗରେ ପରଦିନ ହିଁ ଅଭିଯୁକ୍ତକୁ କାବୁ କରାଯାଇଥିଲା। ପରେ ସ୍ଥାନୀୟ କୋର୍ଟରେ ହାଜର କରାଇ ଟ୍ରାନଜିଟ୍ ରିମାଣ୍ଡରେ ଟ୍ରେନ ଯୋଗେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି। ଆଜି ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯିବ। ଏହି ଘଟଣା ପରେ ମହିଳା ଥାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ପୁଲିସ ହେପାଜତରେ ଥିବା ଜଣେ ଅଭିଯୁକ୍ତ କିପରି ଥାନାରୁ ଖସି ପଳାଇଲେ, ତାହାକୁ ନେଇ କମିଶନରେଟ ପୁଲିସ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ କାହାର ଅବହେଳା ରହିଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।















Leave a Reply