ଅକ୍ଷର ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ରାଇଘର ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ରୋମାଞ୍ଚକର ବନ୍ୟଜନ୍ତୁ ଉଦ୍ଧାର ଅଭିଯାନ ସଫଳ ହୋଇଛି। କାଙ୍କେର ଜିଲ୍ଲାର ସାରୋନା ଫରେଷ୍ଟ ରେଞ୍ଜ ଅଧୀନ ସାଇମୁଣ୍ଡା ଗ୍ରାମରେ ଏକ କୂଅରେ ପଡ଼ିଯାଇଥିବା କଲରାପତରିଆ ବାଘକୁ ବନ ବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଓ ଉତ୍ସୁକତାର ପରିବେଶ ସୃଷ୍ଟି ହୋଇଥିଲା।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା କଲରାପତରିଆ ବାଘଟି ଅସାବଧାନତାବଶତଃ ଗାଁ ମୁଣ୍ଡରେ ଥିବା ଏକ କୂଅରେ ଖସିପଡ଼ିଥିଲା। କୂଅ ଭିତରୁ ବାଘର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଖବର ପାଇ ବନ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଉଦ୍ଧାର ସମୟରେ କୌଣସି ଅପ୍ରୀତିକର ଘଟଣା ନଘଟିବା ପାଇଁ ପୋଲିସ ଓ ବନ ଅଧିକାରୀମାନେ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଗ୍ରାମବାସୀଙ୍କୁ କୂଅ ନିକଟକୁ ନଯିବା ଏବଂ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ବାରମ୍ବାର ପରାମର୍ଶ ଦିଆଯାଇଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ବନ ବିଭାଗ ବାଘଟିକୁ ସୁରକ୍ଷିତ ଭାବେ କୂଅରୁ ବାହାର କରିବାରେ ସଫଳ ହୋଇଥିଲା। ଉଦ୍ଧାର ପରେ ବାଘଟିର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇ ତାହାକୁ ଏକ ସୁରକ୍ଷିତ ଜଙ୍ଗଲ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ପୁଣିଥରେ ସୀମାନ୍ତବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ବଢ଼ୁଥିବାର ସଙ୍କେତ ଦେଇଛି। ବନ ବିଭାଗ ଲୋକମାନଙ୍କୁ ବନ୍ୟଜନ୍ତୁ ଦେଖିଲେ ଆତଙ୍କିତ ନହୋଇ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ସହ ନିଜ ସୁରକ୍ଷା ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି।















Leave a Reply