ରାମ ମନ୍ଦିରର ୩୩୦୦ କୋଟି ଦାନରେ ନାହିଁ ଦୁର୍ନୀତି! ଅଡିଟ୍‌ରେ ବଡ଼ ଖୁଲାସା, ନଗଦ ଗଣତି ବେଳେ ୬ କର୍ମଚାରୀଙ୍କ ଚୋରି

ଅକ୍ଷର ବ୍ୟୁରୋ: ଅଯୋଧ୍ୟା ଶ୍ରୀରାମ ମନ୍ଦିରର ୩୩୦୦ କୋଟି ଟଙ୍କାର ଦାନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଡ଼ ଖୁଲାସା ସାମ୍ନାକୁ ଆସିଛି। ସ୍ୱାଧୀନ ବାହ୍ୟ ଅଡିଟ୍ ରିପୋର୍ଟରେ ଟ୍ରଷ୍ଟର ଆର୍ଥିକ କାରବାରରେ କୌଣସି ହେରଫେର କିମ୍ବା ଦୁର୍ନୀତି ହୋଇନଥିବା ସ୍ପଷ୍ଟ କରାଯାଇଛି। ବରଂ ଦାନ ବାକ୍ସର ଟଙ୍କା ଗଣତି ବେଳେ ବାହ୍ୟ ଏଜେନ୍ସିର ୬ କର୍ମଚାରୀ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି। ଏମ୍/ଏସ୍ ଭି. ଶଙ୍କର ଆୟର ଆଣ୍ଡ କମ୍ପାନି କରିଥିବା ଅଡିଟ୍ ଅନୁଯାୟୀ, ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୮୦୦ କୋଟି ଟଙ୍କା ଏବଂ ଜମି କ୍ରୟ ପାଇଁ ପ୍ରାୟ ୪୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମସ୍ତ ଅର୍ଥ ବ୍ୟାଙ୍କ ମାଧ୍ୟମରେ ପରିଶୋଧ କରାଯାଇଥିବାରୁ କୌଣସି ନଗଦ କାରବାର ହୋଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ତଦନ୍ତରେ ଜଣାପଡ଼ିଛି, ଦାନ ବାକ୍ସରୁ ବାହାରିଥିବା ନଗଦକୁ ମେସିନରେ ଗଣିବା ପୂର୍ବରୁ ହାତରେ ସଜାଡ଼ୁଥିବା ସମୟରେ SBI ନିଯୁକ୍ତ ‘ସୈନିକ ସିକ୍ୟୁରିଟି ସର୍ଭିସେସ୍’ର ୬ ବାହ୍ୟ କର୍ମଚାରୀ ଟଙ୍କା ଚୋରି କରିଥିଲେ। CCTV ଫୁଟେଜ୍ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି। ସେମାନେ ଟ୍ରଷ୍ଟ କିମ୍ବା ମନ୍ଦିର ପ୍ରଶାସନର କର୍ମଚାରୀ ନଥିବା ମଧ୍ୟ ସ୍ପଷ୍ଟ କରାଯାଇଛି।

ଘଟଣାର ତଦନ୍ତ SIT କରୁଥିବାବେଳେ ଏହା ଉପରେ ସୁପ୍ରିମକୋର୍ଟଙ୍କ ନଜର ରହିଛି। ସେପଟେ ଜମି କ୍ରୟରେ ଦୁର୍ନୀତି ଅଭିଯୋଗକୁ ସରକାରୀ ସୂତ୍ର ଖଣ୍ଡନ କରି କହିଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ପରେ ଜମି ଦର ବୃଦ୍ଧି ଓ କ୍ଷତିପୂରଣ ଯୋଗୁଁ ଖର୍ଚ୍ଚ ବଢ଼ିଥିଲା। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ପ୍ରତିମାସ ହାରାହାରି ୫ କୋଟି ଟଙ୍କା ହୁଣ୍ଡି ଦାନ ଆସୁଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ରିପୋର୍ଟ ସ୍ପଷ୍ଟ କରିଛି ଯେ, ଏହା ଟ୍ରଷ୍ଟର ଆର୍ଥିକ ଦୁର୍ନୀତି ନୁହେଁ, ବରଂ ନଗଦ ଗଣତି ସମୟରେ ଘଟିଥିବା ଚୋରି ଘଟଣା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial