କଟକ: ଆଜି କଟକରେ ଦଶହରା ଭସାଣି ଉତ୍ସବ। ମା’ ଦୁର୍ଗାଙ୍କୁ ମେଲାଣି ଦେବାକୁ ସହରରେ ଶୋଭାଯାତ୍ରା ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର ରଖିବା ପର୍ଯ୍ୟନ୍ତ ସବୁ ଦିଗକୁ ଗୁରୁତ୍ୱ ଦିଆଯାଇଛି। ଡ୍ରୋନ୍ ମାଧ୍ୟମରେ ଶୋଭାଯାତ୍ରା ଓ ଜନଗହଳି ଉପରେ ନଜର ରଖାଯିବା ସହ ସହରରେ ଲାଗିଥିବା ୧୩୦୦ CCTV କ୍ୟାମେରା ଜରିଆରେ ସମଗ୍ର ସ୍ଥିତି ଉପରେ ନିରୀକ୍ଷଣ କରାଯିବ।
ଏହି ସବୁ CCTV କ୍ୟାମେରାର ନିରୀକ୍ଷଣ ଏକ ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ କରାଯିବ। ଭସାଣି ଯାତ୍ରା ସମୟରେ ଯେକୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ସନ୍ଦେହଜନକ ଗତିବିଧି ଉପରେ ତୁରନ୍ତ ନଜର ରଖିବାକୁ ପୋଲିସ ପକ୍ଷରୁ ବ୍ୟବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ୱରେ ସହରରେ ମୋଟ ୪୨୦୦ ପୋଲିସ କର୍ମଚାରୀଙ୍କୁ ନେଇ ୭୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ। ଏହା ସହ CAPF ଏବଂ କୁଇକ୍ ରିଆକ୍ସନ୍ ଟିମ୍କୁ ମଧ୍ୟ ମୁତୟନ କରାଯିବ। ଅସାମାଜିକ ତତ୍ତ୍ୱ ଓ ଅପରାଧୀଙ୍କ ଉପରେ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ଫେସ୍ ଡିଟେକ୍ସନ୍ କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୁହଁ ଚିହ୍ନଟ କରିବାରେ ସହାୟକ ହେବ। ଏହା ଫଳରେ ଭସାଣି ଉତ୍ସବ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇପାରିବ।
ଅନ୍ୟପଟେ, ସାଧାରଣ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ଅପିଲ୍ କରିଛି କମିଶନରେଟ୍ ପୋଲିସ। କୌଣସି ସ୍ଥାନରେ ସନ୍ଦେହଜନକ ଗତିବିଧି କିମ୍ବା ଅପ୍ରୀତିକର ପରିସ୍ଥିତି ନଜରକୁ ଆସିଲେ ତୁରନ୍ତ ୧୧୨ ନମ୍ବରରେ କଲ୍ କରିବା କିମ୍ବା ନିକଟସ୍ଥ ଥାନାକୁ ଜଣାଇବାକୁ ପୋଲିସ ଅନୁରୋଧ କରିଛି। ଏଥିସହ ଭସାଣି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜନସାଧାରଣ ପୋଲିସକୁ ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି।












Leave a Reply