ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ବଲାଙ୍ଗିରରେ ବୃଦ୍ଧଙ୍କ ମୃତ୍ୟୁ

ବଲାଙ୍ଗିର: ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ଚାଲିଗଲା ଜୀବନ। ବଲାଙ୍ଗିର ଜିଲ୍ଲାର ସଇଁତଳା ବନାଞ୍ଚଳ ଅଧୀନ ଦେଓଗାଁ ଥାନା ଅନ୍ତର୍ଗତ ଡାହିମାଲ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ଗାଁର ସୀତାରାମ ଭୋଇ। ଜଙ୍ଗଲ ଭିତରେ ଘର କରି ରହୁଥିବା ସୀତାରାମ ଶୋଇଥିବା ସମୟରେ ହାତୀ ତାଙ୍କୁ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସଇଁତଳା ରେଞ୍ଜ ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଥିବା ବେଳେ ଏହି ଅଘଟଣ ଘଟିଛି। ଜଙ୍ଗଲ ନିକଟରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠିଛି। ହାତୀଙ୍କ ଗତିବିଧି ସମ୍ପର୍କରେ ବନ ବିଭାଗ ପକ୍ଷରୁ ଠିକ୍ ଭାବେ ସଚେତନ କରାଯାଉନଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ହାତୀପଲ ଜଙ୍ଗଲ ଅଞ୍ଚଳରେ ରହୁଥିବା ସତ୍ତ୍ୱେ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇବା ଓ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ସୀତାରାମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଖବର ପାଇ ସଇଁତଳା ବନ ବିଭାଗ ଓ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଭୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଘଟଣାର ସବିଶେଷ ତଥ୍ୟ ଓ ପରିସ୍ଥିତି ସମ୍ପର୍କରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial