ଭୁବନେଶ୍ୱର/କଟକ: ମେଲାଣି ନେଉଛନ୍ତି ମା’ ଦଶଭୂଜା। ମଣ୍ଡପରେ ଚାରି ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’ ଦୁର୍ଗା। ଆଜି ଭସାଣି ଯାତ୍ରାକୁ ନେଇ ଉତ୍ସବମୁଖର ହୋଇଉଠିଛି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱର। ମା’ଙ୍କୁ ଭାବବିହ୍ୱଳ ବିଦାୟ ଦେବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କଟକ ସହରରେ ମା’ଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇସାରିଛି। ପାରମ୍ପରିକ ବାଜା, ରୋଷଣି ଓ ଆକର୍ଷଣୀୟ ଶୋଭାଯାତ୍ରା ମଧ୍ୟରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଆଜି କଟକ ସହରରେ ୧୭୦ରୁ ଅଧିକ ମେଢ଼ର ଭସାଣି କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।
ଅନ୍ୟପଟେ, ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭସାଣି ଯାତ୍ରାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଭସାଣି ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଅପରାହ୍ଣ ୨ଟାରୁ ଟ୍ରାଫିକ୍ କଟକଣା ଲାଗୁ ହେବ। ଭସାଣି ଶେଷ ହେବା ପର୍ଯ୍ୟନ୍ତ ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ। ରାଜଧାନୀର ଚାରିଟି ପ୍ରମୁଖ ଭସାଣି କମିଟିର ଶୋଭାଯାତ୍ରା ରୁଟ୍କୁ ଆଧାର କରି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ଆବଶ୍ୟକତା ଅନୁଯାୟୀ ଯାନବାହନକୁ ବିକଳ୍ପ ରାସ୍ତାରେ ଛଡ଼ାଯିବ। ଉଭୟ କଟକ ଓ ଭୁବନେଶ୍ୱରରେ ଭସାଣି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ ପରିଚାଳନାକୁ ବ୍ୟାପକ କରାଯାଇଛି। ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ମାହୋଲ ମଧ୍ୟରେ ମା’ଙ୍କୁ ବିଦାୟ ଦେବା ସହ ଶୃଙ୍ଖଳିତ ଭସାଣି ଯାତ୍ରା ଉପରେ ରହିଛି ପ୍ରଶାସନର ଗୁରୁତ୍ୱ।












Leave a Reply